ଲେଖକ- ଡଃ ଅନନ୍ତ ଏସ
ହାଇଦ୍ରାବାଦ:ମାଇଗ୍ରେସନ ବା ପ୍ରବାସ ଦେଶ ଓ ଦେଶ ବାହାରେ ବହୁ ସମୟ ଧରି ଲାଗି ରହିଛି । ଯଦି ଆମେ ଇତିହାସର ପୃଷ୍ଠା ଲେଉଟାଇବା ତେବେ ଆର୍ଯ୍ୟମାନେ ମଧ୍ୟ ବାହାରୁ ଆସିଥିଲେ । ତେବେ ଏହି ଧାରାରେ ଏଯାବତ ରୋକ ଲାଗିନାହିଁ । ସେହିପରି ଭାରତୀୟ ମଧ୍ୟ ବହୁ ସଂଖ୍ୟାରେ ଦେଶ ଛାଡ଼ି ବିଦେଶ ଗସ୍ତ କରିବାରେ ଲାଗିଛନ୍ତି । ବିଦେଶ ମନ୍ତ୍ରଣାଳୟର ଏକ ତଥ୍ୟ ଅନୁସାରେ ୩.୨ କୋଟି ଭାରତୀୟ ବିଦେଶରେ ପ୍ରବାସୀ ଭାବେ ଜୀବନ ଯାପନ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୧.୩୨ କୋଟି ଏନଆଇଆଇ ଥିବା ବେଳେ ୧.୮୬ କୋଟି ବିଦେଶର ନାଗରିକତା ଗ୍ରହଣ କରିଛନ୍ତି ।
ଆନୁମାନିକ ଭାବେ ପ୍ରତିବର୍ଷ ଅତି କମରେ ୨୫ ଲକ୍ଷ ଭାରତୀୟ ପ୍ରବାସୀ ହୋଇଯାଉଛନ୍ତି । ଅକ୍ଟୋବର ୨୦୨୨ରୁ ସେପ୍ଟେମ୍ବର ୨୦୨୩ ମଧ୍ୟରେ ୯୬,୯୧୭ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଥିବା ବେଳେ ଧରାପଡିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ପର୍ଯ୍ୟଟକ ଭିସା ନେଇ ବିଦେଶ ଯାଉଥିବା ବେଳେ ସେଠାରୁ ଆଉ ଫେରନ୍ତି ନାହିଁ। ଏବେ ଛୋଟ ସହରରୁ ମଧ୍ୟ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ବିଦେଶ ଗସ୍ତ କରୁଛନ୍ତି । ହାଇଦ୍ରାବାଦ ଏବଂ ଗୁଣ୍ଟୁର ଜିଲ୍ଲାର ସର୍ବାଧିକ ଛାତ୍ର TOFEL ଏବଂ GRE ପରୀକ୍ଷାରେ ଭାଗ ନେଉଛନ୍ତି । ୨୦୨୨ର ଏକ ପରିସଂଖ୍ୟାନ ଅନୁସାରେ ସମଗ୍ର ବିଶ୍ବରୁ ୧୨.୩ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେଉଛନ୍ତି । ଯେତେବେଳେ କି ଏହାର ଏକ ବର୍ଷ ପୂର୍ବରୁ ଏହି ପ୍ରତିଶତ ମାତ୍ର ୭.୨ ପ୍ରତିଶତ ଥିଲା ।
ସମଗ୍ର ଦେଶରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ସର୍ବାଧିକ ସଂଖ୍ୟକ ଛାତ୍ର ଏହି ପରୀକ୍ଷା ଦେଉଛନ୍ତି । ଆଉ ଏହା ସତ ଯେ ବିଦେଶ ଯିବାକୁ ଚାହୁଁଥିବା ଅଧିକାଂଶ ଛାତ୍ର ଧନୀ ଘରୁ ଆସିଥାନ୍ତି । ଏକ ଆକଳନରୁ ଜଣାପଡିଛି ଯେ ଗତ ବର୍ଷ ୭୦୦୦ କୋଟିପତି ଭାରତୀୟ ପାସପୋର୍ଟରୁ ତ୍ୟାଗ କରିଥିଲେ । ତାଙ୍କର ହାରାହାରି ସମ୍ପତ୍ତି ପ୍ରାୟ ୮ କୋଟି ଥିଲା । ଚୀନ ଏବଂ ଋଷ ପରେ ଏହା ହେଉଛି ସବୁଠାରୁ ବଡ ସଂଖ୍ୟା । ୨୦୧୩-୨୨ ମଧ୍ୟରେ ୪୮,୫୦୦ ଧନୀ ଭାରତୀୟ ଦେଶ ଛାଡିଛନ୍ତି । ଯଦିଓ ଭାରତର ୧.୪ ବିଲିୟନ ଜନସଂଖ୍ୟା ସାମ୍ନାରେ ଏହି ସଂଖ୍ୟାଗୁଡିକ ବହୁତ ଛୋଟ ମନେହୁଏ, କିନ୍ତୁ ଏହା ସତ ଏତେ ସଂଖ୍ୟାର ଭାରତୀୟ ଦେଶ ତ୍ୟାଗ କରୁଥିବା ନିଶ୍ଚିତ ଚିନ୍ତାର କାରଣ । ଏହାକୁ ଗମ୍ଭୀର ଭାବରେ ବିଚାର କରାଯିବା ଉଚିତ ।
ମାଇଗ୍ରେସନର କାରଣ:-ବିଦେଶକୁ ଯାଉଥିବା ଅଧିକାଂଶ ଲୋକ ଅନୁଭବ କରନ୍ତି ଯେ ସେମାନେ ଏଠାରେ ଭଲ ରୋଜଗାର କରିପାରିବେ ନାହିଁ କିମ୍ବା ସେମାନଙ୍କର ଭବିଷ୍ୟତର ସୁଯୋଗ ଭାରତରେ ଭଲ ହୋଇନପାରେ । ୨୦୧୭ ମସିହାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଥିବା ବେଳେ କୋଭିଡ ପରିସ୍ଥିତି ଏହାକୁ ଆହୁରି ଜଟିଳ କରିଥିଲା । କୋଭିଡ ମହାମାରୀ ପାଇଁ ୩.୨ କୋଟି ଲୋକ ଗରିବ ସୀମା ରେଖା ତଳେ ରହିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଏହାର ସଂଖ୍ୟାରେ ବୃଦ୍ଧି ଘଟିଛି । ବେରୋଜଗାର ବୃଦ୍ଧି ପାଇଛି । ବିରୋଧୀ ବିଚାରଧାରା ଉପରେ ଚାପ ପଡୁଛି । ଏହି ସମସ୍ତ କାରଣରୁ ଲୋକେ ଦେଶ ବାହାରକୁ ଯିବାକୁ ଚାହୁଁଛନ୍ତି । ଭାରତରେ କର୍ମଜୀବୀ ବୟସ ଶ୍ରେଣୀଙ୍କ ସଂଖ୍ୟା ଅଧିକ । ୨୦୩୧ ସୁଦ୍ଧା ଏହି ଜନସଂଖ୍ୟା ୫୮.୮%ରେ ପହଞ୍ଚିବ । ୧୫-୬୫ ବର୍ଷୀୟ ଲୋକଙ୍କୁ କର୍ମଜୀବୀ ବୟସ ଶ୍ରେଣୀ ଭାବେ ଗଣାଯାଏ ।