ନୂଆଦିଲ୍ଲୀ: ସେଦିନ ଥିଲା 1976 ମସିହା ଫେବୃଆରୀ 14 ତାରିଖ । ଚାରିଆଡେ ପ୍ରେମୀଯୁଗଳ ଭାଲେଣ୍ଟାଇନ ଡେ ପାଳନ କରୁଥିବାବେଳେ ସ୍ବାଧୀନ ଭାରତର ଇତିହାସରେ ଯୋଡିହୋଇଥିଲା ଆଉ ଏକ କଳାଫର୍ଦ୍ଦ । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ସେଦିନ ମିଳିଥିଲା ଫାଶୀର ଫନ୍ଦା ।
ହଁ ଆଜ୍ଞା, ଆପଣ ଠିକ୍ ପଢିଲେ । ଦିନେ ନ୍ୟାୟ ଅନ୍ୟାୟର ତରାଜୁ ମାପୁଥିବା ଅବସରପ୍ରାପ୍ତ ବିଚାରପତି ଉପେନ୍ଦ୍ରନାଥ ରାଜଖୋୱାଙ୍କୁ ନିଜ ପତ୍ନୀ ଓ 3 ଝିଅଙ୍କ ହତ୍ୟା କରିଥିବା ଦୋଷରେ ଫାଶୀଖୁଣ୍ଟରେ ଝୁଲିବାକୁ ପଡିଥିଲା । ଆସାମ ଧୁବୁରୀର ଜିଲ୍ଲା ଦୌରା ଜଜ୍ ଭାବେ ଅବସରନେଇଥିବା ରାଜଖୋୱାଙ୍କୁ ଏପରି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ଫାଶୀ ଦିଆଯାଇଥିଲା ।
ତଥ୍ୟ ପ୍ରମାଣକୁ ଭିତ୍ତି କରି ନିମ୍ନ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ କରିଥିବାବେଳେ ସେ ହାଇକୋର୍ଟ, ସୁପ୍ରିମକୋର୍ଟ ଏପରିକି ରାଷ୍ଟ୍ରପତିଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ତେବେ ସବୁଠୁ ନିରାଶ ହେବା ପରେ ତାଙ୍କୁ ଫେବୃଆରୀ 14 ତାରିଖରେ ହିଁ ଫାଶୀ ଦିଆଯାଇଥିଲା । ତେବେ ନ୍ୟାୟର ପ୍ରତୀକ ସାଜିଥିବା ନ୍ୟାୟଧିଶ ଏପରି କେବେ କଲେ, କିପରି କଲେ ଓ କାହିଁକି କଲେ ଆସନ୍ତୁ ଜାଣିବା ।
କେବେ ହୋଇଥିଲା ଏପରି ଜଘନ୍ୟ କାଣ୍ଡ ?
ଉପେନ୍ଦ୍ରନାଥ ରାଜଖୋୱାଙ୍କ ପରିବାର କହିଲେ ତାଙ୍କ ପତ୍ନୀ ପୁତୁଲୀ ରାଜଖୋୱା, ବଡଝିଅ ଲିନୁ, ମଝିଆ ଝିଅ ଲୁନା ଓ ସାନ ଝିଅ ରୂପାଲୀ । ରାଜଖୋୱାଙ୍କ ଘର ଗୌହାଟୀରେ ହୋଇଥିବାବେଳେ ବିଚାରପତି ଲାଗି ତାଙ୍କର ବିଭିନ୍ନ ସ୍ଥାନକୁ ବଦଳି ହୁଏ । ଏହି ପରିପ୍ରେକ୍ଷୀରେ 1969 ମସିହାରେ ତାଙ୍କର ଧୁବୁରୀକୁ ବଦଳି ହୋଇଥିଲା । ସେଠାରେ ସେ ସରକାରୀ ବଙ୍ଗଳାରେ ରହୁଥିବାବେଳେ ପତ୍ନୀ ଓ ବଡଝିଅ ଗୌହାଟୀରେ ଏବଂ ସାନ ଦୁଇ ଝିଅ ଜଣେ ସମ୍ପର୍କୀୟଙ୍କ ଘରେ ରହି ପଢାପଢି କରୁଥିଲେ ।
1970 ମସିହା ଫେବୃଆରୀ ମାସରେ ସେ ଅବସର ନେବାକୁ ଥିବାବେଳେ କିଛିଦିନ ପରିବାର ସହ ଏକାଠୀ ବିତାଇବାକୁ ଚାହିଁଥିଲେ । ସେଥିଲାଗି ସମସ୍ତ ପରିବାରକୁ ଧୁବୁରୀ ଡାକିଦେଇଥିଲେ । ଏହାସହ ଧୁବୁରୀରେ ସରସ୍ବତୀ ପୂଜା ବେଶ ଧୂମଧାମରେ ପାଳନ କରାଯାଉଥିବାରୁ ପରିବାର ମଧ୍ୟ ଏହି ମଉକାରେ ପୂଜା ଦେଖିବେ ବୋଲି ଆସିଯାଇଥିଲେ । ପୂଜାରେ ଖୁବ୍ ବୁଲିବା ପରେ ସାନ ଦୁଇଝିଅ ନିଜ ପଢା ପାଇଁ ସେଠାରୁ ଚାଲିଯାଇଥିଲେ । ପରେ ଫେବୃଆରୀ 10 ତାରିଖ ସନ୍ଧ୍ୟାରେ ବଙ୍ଗଳାରେ ଥିବା ସମସ୍ତ କର୍ମଚାରୀଙ୍କୁ ଘରକୁ ବିଦା କରି ନିଜ ପତ୍ନୀ ଓ ବଡଝିଅ ସହ ପୂଜା ବୁଲିବାକୁ ଯାଇଥିଲେ । ତେବେ ତାପରଦିନ ଅର୍ଥାତ ଫେବୃଆରୀ 11 ତାରିଖରେ ତାଙ୍କର ପତ୍ନୀ ଓ ବଡଝିଅ ଆଉ ଦେଖିବାକୁ ମିଳିନଥିଲେ । ତାଙ୍କୁ କିଛି ସମ୍ପର୍କୀୟ ଏବାବଦରେ ପଚାରିବାରୁ ସେମାନେ ଭୋରରୁ କିଛି ଜରୁରୀ କାମରେ ଚାଲିଯାଇଛନ୍ତି ବୋଲି କହିଥିଲେ ।
ଏହାର କିଛି ଦିନ ପରେ ସାନ ଦୁଇ ଝିଅଙ୍କୁ ନିଜ ପାଖକୁ ଡାକିଥିଲେ । ତେବେ ସେମାନଙ୍କୁ ଫେବୃଆରୀ 25 ତାରିଖରେ ସମସ୍ତେ ଦେଖିଥିବାବେଳେ ଫେବୃଆରୀ 26 ତାରିଖରୁ ଦୁଇ ଝିଅଙ୍କୁ କେହି ଦେଖିବାକୁ ପାଇନଥିଲେ । ଏହାର କିଛି ଦିନ ପରେ ରାଜଖୋୱା ସେ ବଙ୍ଗଳା ଛାଡି ଚାଲିଯାଇଥିଲେ ।
କେଉଁଆଡେ ଯାଇଥିଲେ ପତ୍ନୀ ଓ 3 ଝିଅ ?
ଅବସରନେବାର କିଛି ଦିନ ପରେ ବଙ୍ଗଳାରେ ଥିବା କର୍ମଚାରୀଙ୍କୁ ଡାକି ରାଜଖୋୱା ରୋଷେଇ ଘର ଓ ଗାଧୁଆ ଘର ପଛପଟେ ଥିବା ଦୁଇଟି ବଡ ଗଛକୁ କାଟିବା ସହ ସେଠାରେ ଦୁଇଟି ବଡଗାତ କରିଥିଲେ । ତେବେ ଏହା କାହିଁକି କରାଯାଉଛି ପଚାରିବାରୁ ଏଥିରେ କିଛି ଭଲ ଗଛ ଲାଗିବ, ଏହାପରେ ଯେ ଏଠି ରହିବାକୁ ଆସିବ ସେ ମନେପକାଇବ ବୋଲି ରାଜଖୋୱା କହୁଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଗୋଟିଏ ଗାତ ଫେବୃଆରୀ 11 ଓ ଅନ୍ୟଟି ଫେବୃଆରୀ 26ରେ ପୋତାହୋଇଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଗାତରେ କଣ ପୋତା ହୋଇଥିଲା ତାହା ପୋଲିସର ତଦନ୍ତ ପରେ ଜଣାପଡିଥିଲା । ଏଠାରୁ 4 ଜଣଙ୍କ କଙ୍କାଳ ଜବତ କରାଯାଇଥିଲା ।