ଭୁବନେଶ୍ବର: ନାଟକୀୟ ଢଙ୍ଗରେ କିଡନାପ । ଆଉ ତା'ପରେ ଫୋନ କଲ । କିଡନାପରଙ୍କ ଠୁ ଉଦ୍ଧାର କର । ପ୍ରେମିକାର ମା'କୁ ଆସିଲା ପ୍ରେମିକର ଏପରି କଲ । ଏହାପରେ ୪ ଘଣ୍ଟା ଧରି ପୋଲିସ ନାକେଦମ । ୩ଟି ଥାନା ଅଞ୍ଚଳରେ ହଇଚଇ ଧରପଗଡ ।
ଗତ ଶୁକ୍ରବାର ଦିନ କମିଶନରେଟ ପୋଲିସକୁ ଅଭିଯୋଗ ପରେ ଲିଙ୍ଗରାଜ ଥାନା, ବରଗଡ ଥାନା ଓ ଏୟାରପୋର୍ଟ ଥାନା ଅଞ୍ଚଳରେ ଖେଳିଥିଲା ଏପରି ଚାଞ୍ଚଲ୍ୟ । ବିଜେବି କଲେଜରେ ପଢୁଥିବା ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ମା'ଙ୍କ ପାଖକୁ ଆସିଥିଲା ସେହି ଛାତ୍ରୀଙ୍କର ପ୍ରେମିକର ଫୋନ କଲ । ଯାହାକୁ ଛାତ୍ରୀଙ୍କ ମା' ଭଲଭାବେ ଜାଣନ୍ତି । ତେବେ ଫୋନରେ ସେ ଛାତ୍ରୀଙ୍କ ମା'ଙ୍କୁ ତାଙ୍କୁ କେହି କିଡନାପ କରିଥିବା କହିଥିଲେ । ଏକ ନିଛାଟିଆ ସ୍ଥାନରେ ରଖାଯାଇଛି ଯେଉଁଠି କେବଳ ଇଟାଭାଟି ପରି ପୋଡାର ବାସ୍ନା ଆସୁଛି ଏବଂ ତାକୁ ଏକ ଗୁହାଳ ଘରେ ରଖାଯାଇଛି । ଜଲଦି ଉଦ୍ଧାର କର ବୋଲି ସେ ଫୋନରେ ଜଣାଇଥିଲେ । ଏପରିକି ଫୋନ କରିବା ସମୟରେ ପ୍ରେମିକା ସହ ମିଳାମିଶି କରୁଥିବା ଜଣେ ଇଂଜିନିୟରିଂ ଛାତ୍ର ଓ ତାର ସାଙ୍ଗମାନେ ଏପରି କରିଥାଇପାରନ୍ତି ବୋଲି ପ୍ରେମିକାର ମା'କୁ କହିଥିଲେ । ଏପରି ଫୋନ ପାଇବା ପରେ ତୁରନ୍ତ ପ୍ରେମିକାର ମା' ପ୍ରେମିକର ବାପାଙ୍କୁ ଯୋଗାଯୋଗ ପରେ ପୋଲିସକୁ ଜଣାଇଥିଲେ ।
ଆଉ ତା ପରେ କଲ ଟ୍ରେସ ଠୁ ଆରମ୍ଭ କରି ହ୍ୟୁମାନ ଇଣ୍ଟେଲିଜେନସର ତଦନ୍ତ ଆରମ୍ଭ କଲା କମିସନରେଟ ପୋଲିସ । ଏପରିକି ମିଡିଆକୁ ଜଣାଇଲେ ପୁଅ ପ୍ରତି ବିପଦ ବୋଲି ପୋଲିସ ତାଗିଦ ଗଲା । ହେଲେ ଦୀର୍ଘ ୪ ଘଣ୍ଟା ପରେ ବି କୌଣସି ସୁରାକ ମିଳି ନଥିଲା ।