ଜାକାର୍ତ୍ତା:ସକାଳୁ ସକାଳୁ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ୧ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର(ଇଏମଏସସି) ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ତେବେ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ପ୍ରଥମେ ୬.୧ ତୀବ୍ରତାର ଏକ ଭୂକମ୍ପ ସଂଗଠିତ ହୋଇଥିବା ବେଳେ ଏହା ପରେ ପୁଣି ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇଣ୍ଡୋନେସିଆର ବାତୁରେ ଆଜି ସକାଳୁ ସକାଳୁ ଏହି ଭୂକମ୍ପ ଅନୁଭୂତ ହୋଇଛି । ଗୋଟିଏ ଘଣ୍ଟା ମଧ୍ୟରେ ହିଁ ବାତୁଲରେ ଏହି ଦୁଇ ଥର ଭୂକମ୍ପ ହୋଇଛି ।
ପ୍ରଥମେ ହୋଇଥିବା ଭୂକମ୍ପର ଗଭୀରତା ୪୩ କିମି ରେକର୍ଡ କରାଯାଇଥିବା ବେଳେ ଦ୍ବିତୀୟ ଥର ହୋଇଥିବା ୫.୮ ତୀବ୍ରତାର ଭୂକମ୍ପର ଗଭୀରତା ୪୦ କିମି ରେକର୍ଡ କରାଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ । ତେବେ ସୁନାମୀ ନେଇ କୌଣସି ବର୍ତ୍ତମାନ ଯାଏଁ କୌଣସି ଆଲର୍ଟ ଜାରି କରାଯାଇନାହିଁ । ତେବେ ଗୋଟିଏ ଘଣ୍ଟାରେ ଦୁଇ ଥର ଭୂକମ୍ପ ହେବା ଫଳରେ ଲୋକେ ଭୟଭୀତ ହୋଇଯାଇଥିବା ଦେଖା ଦେଇଛି । ଆତଙ୍କିତ ଅବସ୍ଥାରେ ଲୋକେ ଘର ବାହାରକୁ ଚାଲି ଆସିଥିଲେ । ତେବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।