ହାଇଦ୍ରାବାଦ:ଗତ ସପ୍ତାହରେ ତୁର୍କୀରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପ ବିଶ୍ବବାସୀଙ୍କୁ ଦୋହଲାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇନଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା କେବଳ ତୁର୍କୀରେ ପ୍ରାୟ 30 ହଜାର ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ସିରିଆରେ ମୃତ୍ୟୁସଂଖ୍ୟା ପ୍ରାୟ 6 ହଜାରରୁ ଅଧିକ ରହିଛି । ଉଭୟ ଦେଶରେ ବର୍ତ୍ତମାନ ମୋଟ ମୃତ୍ୟୁସଂଖ୍ୟା ପ୍ରାୟ 40 ହଜାର ପାଖାପାଖି ହେବା ନେଇ ଆକଳନ କରାଯାଉଛି । ୟୁରୋପୀୟ ମହାଦେଶୀୟ କ୍ଷେତ୍ରରେ ଏହା ଶତାବ୍ଦୀର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।
ଫେବୃଆରୀ 6 ତାରିଖରେ ହୋଇଥିବା ଭୂକମ୍ପ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । 7.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ତୁର୍କୀରେ ଅନେକ ଥର ବଡ଼ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ସିରିଆରେ ମଧ୍ୟ ବିନାଶ ଘଟାଇଛି । ପୂର୍ବରୁ ମୃତ୍ୟୁସଂଖ୍ୟା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ଜାତିସଂଘ ମଧ୍ୟ ଏକ ଭୟଙ୍କର ଆଶଙ୍କା କରିସାରିଛି । ଏବେ ମୃତ୍ଯୁ ସଂଖ୍ୟା ପ୍ରାୟ 30 ହଜାର କୁହାଯାଉଥିବା ବେଳେ ଏହି ସଂଖ୍ୟା 50 ହଜାର ଅତିକ୍ରମ କରିବା ଆଶଙ୍କା ପ୍ରକାଶ କରିସାରିଛି ଜାତିସଂଘ ।
ସୋମବାର(6 ତାରିଖ)ରେ ତୁର୍କୀ ଓ ସିରିଆରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପକୁ ଦୀର୍ଘ ସପ୍ତାହରୁ ଅଧିକ ବିତିବାକୁ ବସିଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର ଅପରେସନ ଶେଷ ହୋଇନାହିିଁ । ସ୍ଥିତି ଏତେ ଗମ୍ଭୀର ଯେ, ଉଦ୍ଧାର କାର୍ଯ୍ୟ ଯେତିକି ବ୍ୟାପକ ହେବାରେ ଲାଗିଛି ମୃତ୍ୟୁସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା ପ୍ରାୟ 40 ହଜାର ପାଖାପାଖି ପହଞ୍ଚି ସାରିଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ଓ ଗଣମାଧ୍ୟମ ନିଜ ରିପୋର୍ଟରେ ପ୍ରକାଶ କରିଛନ୍ତି । ପ୍ରକୃତ ମୃତାହତ ସଂଖ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ଆକଳନ କରିବା ମଧ୍ୟ ସମ୍ଭବପର ନୁହେଁ । ମୃତ୍ୟୁସଂଖ୍ୟା ବର୍ତ୍ତମାନର ସଂଖ୍ୟାର 50 ହଜାର ହୋଇପାରେ ବୋଲି ଜାତିସଂଘ କହିସାରିଛି ।