ଇସଲାମବାଦ:ପାକିସ୍ତାନରେ ଶେଷ ହୋଇଛି ଇମ୍ରାନ ଖାନଙ୍କ ଯୁଗ । ତେବେ ବହିଷ୍କୃତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁନଃ କ୍ଷମତାଶୀଳ କରାଇବା ଦାବିରେ ରବିବାର ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଦସ୍ୟମାନେ ପାକିସ୍ତାନର କେତେକ ସହରରେ ରାଲି ପ୍ରଦର୍ଶନ କରିଥିଲେ। ଇମ୍ରାନଙ୍କ ସମର୍ଥକ ମାନେ ପାକିସ୍ତାନ ସେନାଙ୍କ ବିରୋଧରେ 'ଚୌକିଦାର୍ ଚୋର୍ ହୈ' ସ୍ଲୋଗାନ ଦେଇଛନ୍ତି । ତେହେରିକ-ଏ-ଇନସାଫ (ପିଟିଆଇ) ଦଳର ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ପାକିସ୍ତାନୀ ସେନା ବିରୋଧରେ ଚୌକିଦାର୍ ଚୋର୍ ହୈ ନାରା ଦେଇ ପ୍ରତିବାଦ କରିଛନ୍ତି । ପଞ୍ଜାବର ଲାଲ ହାଓ୍ବେଲି ନିକଟରେ ପ୍ରତିବାଦକାରୀମାନେ ଏହି ସ୍ଲୋଗାନ ଦେଇଥିଲେ ।
ଏହି ସମୟ ମଧ୍ୟରେ ଇମ୍ରାନ ଖାନଙ୍କ ସମର୍ଥକମାନେ ସେନାକୁ 'ଚୌକିଦାର୍' ସହ 'ଚୋର' ବୋଲି କହିଥିଲେ । ତେବେ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଏକ ଭାଇରାଲ ଭିଡିଓରେ ଶେଖ ରସିଦ ଅହମ୍ମଦ ସେନା ବିରୋଧରେ ଏଭଳି ନାରା ନଦେବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା । ଏହା ସହ ସେ କହିଥିଲେ ଯେ, ସ୍ଲୋଗାନ ଦିଅନାହିଁ ଆମେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା । ପାକିସ୍ତାନ ସେନା ଇମ୍ରାନଖାନଙ୍କ ଜନମତ ଚୋରାଇନେଇଥିବା କଥା ଅଭିଯୋଗ କରି କର୍ମୀମାନେ ଏହି ନାରା ଦେଇଥିଲେ ।
ପ୍ରକାଶ ଯୋଗ୍ୟ ଯେ, 2019 ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ସ୍ଲୋଗାନ ଦେଇଥିଲେ । ସେହି ସମୟରେ ନିର୍ବାଚନ ପ୍ରଚାର ସମୟରେ ଏହି ସ୍ଲୋଗାନଟି ବହୁଳ ଭାବରେ ବ୍ୟବହୃତ ହୋଇଥିଲା ଇସ୍ଲାମାବାଦ, କରାଚୀ, ପେଶୱାର୍, ମଲକନ୍ଦ, ମୁଲ୍ତାନ ଖାନେୱାଲ୍, ଖାଇବର୍, ଝଙ୍ଗ ଏବଂ କ୍ବେଟ୍ଟା ଆଦି ସହରରେ ରାଲି କରି ପ୍ରତିବାଦକାରୀମାନେ ବିରୋଧୀ ଦଳଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ ।