ଇସଲାମବାଦ:ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ପାକ୍ର ଖାଇବର ପଖତୁନଖ୍ବା ଅଞ୍ଚଳରେ ଗୁରୁବାର ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ପାକିସ୍ତାନ ସେନାର ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ଯାହା ସୂଚନା ମିଳିଛି, ମାଲି ଖେଲର ବନ୍ନୁ ଡିଭିଜନରେ ଗତକାଲି ଜଣେ ଆତ୍ମଘାତୀ ଆକ୍ରମଣକାରୀ ମୋଟର ସାଇକେଲରେ ଆସି ସୁରକ୍ଷା ବାହିନୀର କନଭୟକୁ ଧକ୍କା ଦେବାରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଫଳରେ ଅତିକମରେ ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପଛରେ କେଉଁ ଆତଙ୍କୀ ସଂଗଠନର ହାତ ଅଛି ତାହା ଏ ଯାଏଁ ଜଣାପଡିନି ।
ମାସକ ଭିତରେ ଖାଇବର ପଖତୁନଖ୍ବା ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣର ଏହା ଦ୍ବିତୀୟ ଘଟଣା । ଏନେଇ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ୍ କାକର୍ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X(ପୂର୍ବର ଟ୍ବିଟର)ରେ ମୃତ ଯବାନ ଓ ଆହତଙ୍କ ପରିବାର ବର୍ଗ ପ୍ରତି ସମବେଦନା ଜଣାଇ ଲେଖିଛନ୍ତି, ବନ୍ନୁ ଡିଭିଜନରେ ଆତଙ୍କବାଦୀ ଆକ୍ରମଣରେ ୯ ବୀର ସୈନିକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ଏଥିରେ ଅନେକ ଆହତ ହୋଇଛନ୍ତି । ଏହିଭଳି ଆତଙ୍କୀ କାର୍ଯ୍ୟକଳାପ ନିନ୍ଦନୀୟ । ପାକିସ୍ତାନ ଏପରି ଆତଙ୍କବାଦକୁ ଦୃଢ ଭାବରେ ନିନ୍ଦା କରୁଛି ।
ଏହାମଧ୍ୟ ପଢନ୍ତୁ: Bomb Blast: ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ