କାଇରୋ: ଦୁଇ ଦିନିଆ ଇଜିପ୍ଚ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଜିପ୍ଟର ଟପ୍ ଲିଡରଙ୍କୁ ଭେଟିଛନ୍ତି । ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋସ୍ତଫା ମାଡବୋଲିଙ୍କୁ ଭେଟିବା ସହ ଅନ୍ୟ ଟପ୍ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଇଜିପ୍ଟର ଜଣାଶୁଣା ଲେଖକ ତଥା ପେଟ୍ରୋଲିୟମ ରଣନୀତିଜ୍ଞ ତାରିକ ହେଗିଙ୍କ ସମେତ ଇଜିପ୍ଟର ବଡ କମ୍ପାନୀ ସିଇଓ ହାସନ ଆଲାମଙ୍କୁ ଭେଟି ସହଭାଗିତା, ଶକ୍ତି ଓ ସୁରକ୍ଷା ଉପରେ ଆଲୋଚନା କରିଛନ୍ତି ।
ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋସ୍ତଫା ମାଡବୋଲିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ହୋଇଛି । ଆଜି ସେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତହ ଏଲ ସିସିଙ୍କୁ ଭେଟିବେ । ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି ଇଜିପ୍ଟ ଗ୍ରାଣ୍ଡ ମୁଫତି ଶାକି ଇବ୍ରାହିମ ଆଲମ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ପାଇଁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି । ଭାରତ ଓ ଇଜିପ୍ଟ ମଧ୍ୟରେ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ବ ନେଇ ଦୁଇ ଲିଡରଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଏହାପରେ ପ୍ରଧାନମନ୍ତ୍ରୀ ହାସନ ଆଲାମ ହୋଲ୍ଡିଙ୍ଗ କମ୍ପାନୀ ସିଇଓ ହାସନ ଆଲାମଙ୍କୁ ଭେଟିଥିଲେ । ଦୁଇଜଣଙ୍କ ମଧ୍ୟରେ ଅର୍ଥନୀତି ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା ହୋଇଥିଲା । ଭିତ୍ତିଭୂମି ଏବଂ ନିର୍ମାଣ ଆଦି କ୍ଷେତ୍ରରେ କିପରି ସହଯୋଗ ସ୍ଥାପନ ହୋଇପାରିବ ସେ ନେଇ ଆଲୋଚନା କରାଯାଇଥିଲା । ପରେ ପରେ ଇଜିପ୍ଟର ଜଣାଶୁଣା ଲେଖକ ତଥା ପେଟ୍ରୋଲିୟମ ରଣନୀତିଜ୍ଞ ତାରିକ ହେଗିଙ୍କ ସହ ବୈଶ୍ବକ ବ୍ୟାପାର ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପ୍ରିଲ 2022ରୁ ଡିସେମ୍ବର 2022 ଯାଏ ଭାରତ ଇଜିପ୍ଟର ପଞ୍ଚମ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ଦେଶ ଥିଲା । ଦୁଇ ଦେଶ ଘନିଷ୍ଠ ରାଜନୈତିକ ବୁଝାମାଣା, ଦ୍ବିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଯୋଗାଯୋଗ ଏବଂ ସହଯୋଗ ବହୁ ପୁରୁଣା ।