ଇସଲାମବାଦ:ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦକୁ ପ୍ରତ୍ୟାର୍ପଣ କରିବାକୁ ପାକିସ୍ତାନକୁ ଚିଠି ଲେଖିଥିଲେ ଭାରତ ସରକାର । ଏହି ଚିଠି ପାକିସ୍ତାନରେ ପହଞ୍ଚିଛି । ଏଥିପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ପ୍ରତ୍ୟାର୍ପଣ ଚୁକ୍ତି ହୋଇନଥିବା ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ହାଫିଜକୁ ଭାରତ ହସ୍ତାନ୍ତର କରିବାକୁ ଚିଠିରେ ଉଲ୍ଲେଖ ରହିଛି ବୋଲି କହିଛନ୍ତି ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜାହରା ବାଲୋଚ ।
ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଭାରତର କର୍ତ୍ତୃପକ୍ଷଙ୍କ ତରଫରୁ ପାକିସ୍ତାନକୁ ଏକ ଅନୁରୋଧ କରାଯାଇଛି । ହାଫିଜର ପ୍ରତ୍ୟାର୍ପଣକୁ ନେଇ ସମସ୍ତ ଆଇନଗତ କାର୍ଯ୍ୟ ଶେଷ ହୋଇଥିବାରୁ ତୁରନ୍ତ ତାକୁ ଭାରତକୁ ହସ୍ତାନ୍ତର କରିବାକୁ ଭାରତ ପକ୍ଷରୁ କୁହାଯାଇଛି । ଏଥିପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୁଝାମଣା ହୋଇନାହିଁ ।
କିଛି ଦିନ ତଳେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ପାକିସ୍ତାନର ସାଧାରଣ ନିର୍ବାଚନ ଲଢିବା ନେଇ ଖବର ସାମ୍ନାକୁ ଆସିଥିଲା । ପାକିସ୍ତାନର ରାଜନୈତିକ ଦଳ ମରକାଜି ମୁସଲିମ ଲିଗ ଆସନ୍ତା ସାଧାରଣ ନିର୍ବାଚନରେ ଦେଶର ସବୁ ସଂସଦୀୟ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲା । ଏହାପରେ ହାଫିଜ ସଇଦକୁ ତୁରନ୍ତ ଭାରତ ହସ୍ତାନ୍ତର କରିବାକୁ ପାକିସ୍ତାନ ନିକଟରେ ଦାବି କରିଥିଲା ଭାରତ ।