ଲଣ୍ଡନ:ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଥିଲେ । ସେ ବ୍ରିଟିଶ ଇତିହାସର ୨ ଶତାବ୍ଦୀ ମଧ୍ୟରେ ରାଷ୍ଟ୍ରର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ । ତେବେ ଋଷି ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତି ପାଇଁ କେବଳ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ବୋଲି ତାଙ୍କ ଶାଶୂ ସୁଧା ମୂର୍ତ୍ତି କହିଛନ୍ତି । ସେପଟେ ଋଷି ନିଜର ଚତୁରତା ପାଇଁ ସଠିକ ସମୟରେ ଗୋଟି ଚଳାଇ ବ୍ରିଟେନର ଶାସନ ଭାରକୁ ନିଜ ଅକ୍ତିଆରକୁ ନେଇଥିବା କୁହାଯାଉଥିବା ବେଳେ ଏପଟେ ତାଙ୍କ ଶାଶୂ ଏପରି ବୟାନ ଦେଇଛନ୍ତି ।
ଏନେଇ ଅକ୍ଷତା ମୁର୍ତ୍ତିଙ୍କ ମାଆ ତଥା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷିଙ୍କ ଶାଶୂ ସୁଧା ମୂର୍ତ୍ତି କହିଛନ୍ତି, "ମୋ ପାଇଁ ମୋ ସ୍ବାମୀ ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି । ଆଉ ମୋ ଝିଅ ପାଇଁ ଆଜି ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହାର ଗୋଟିଏ ଅର୍ଥ ହେଉଛି ଏହା ପତ୍ନୀମାନଙ୍କର ଚମତ୍କାରିତା । ଦେଖନ୍ତୁ କିପରି ପତ୍ନୀ ତାର ସ୍ବାମୀକୁ ବଦଳାଇଥାଏ । ମୁଁ ମୋ ସ୍ବାମୀଙ୍କୁ ଜଣେ ସଫଳ ବ୍ୟବସାୟୀ, ଉଦ୍ୟୋଗପତି କରାଇଥିବା ବେଳେ ମୋ ଝିଅ ତା'ସ୍ବାମୀକୁ ପ୍ରଧାନମନ୍ତ୍ରୀ କରାଇପାରିଛି । " ସୁଧା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଏକ ଭିଡିଓ ଜାରି କରିଛନ୍ତି ।