ତେଲ୍ ଅଭିଭ୍: ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀ ଗୋଷ୍ଠୀର ବର୍ବରତା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ହମାସ୍ର ଘନ ଘନ ରକେଟ ମାଡରେ ଇସ୍ରାଏଲରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏହି ଭୟଙ୍କର ଆକ୍ରମଣରେ ଇସ୍ରାଏଲରେ ୩୦୦ରୁ ଅଧିକ ମୃତ୍ୟୁ ହୋଇଥିବା ଦେଶର 'ଟାଇମ୍ସ ଅଫ୍ ଇସ୍ରାଏଲ' ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ଆକ୍ରମଣରେ ୧,୫୯୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।
ଆମେ ଯୁଦ୍ଧରେ ଅଛୁ:ହମାସ୍ ଆତଙ୍କବାଦୀ ଇସ୍ରାଏଲରେ ରକେଟ୍ ମାଡ଼ କରିବା ସହିତ ସାଧାରଣ ନାଗରିକ ଏବଂ ଇସ୍ରାଏଲ ଡିଫେନ୍ସ ଫୋର୍ସ(IDF)ର ଯବାନମାନଙ୍କୁ ଅପହରଣ କରି ନେଇ ଗାଜାରେ ପଣବନ୍ଦୀ କରିରଖିଛି । ତେବେ ଏହି ପଣବନ୍ଦୀଙ୍କ ସଂଖ୍ୟା ଇସ୍ରାଏଲ ନିକଟରେ ଥିବା ସୂଚନା ଠାରୁ ଯଥେଷ୍ଟ ଅଧିକ ବୋଲି ହମାସ୍ ଦାବି କରିଛି । ଶନିବାର ସକାଳୁ ଅଚାନକ ଇସ୍ରାଏଲରେ ଭୟଙ୍କର ଆକ୍ରମଣ ପରେ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ''ଆମେ ଏବେ ଯୁଦ୍ଧରେ ଅଛୁ । ଏହା କୌଣସି ଅପରେସନ ନୁହେଁ । ଏହା ଯୁଦ୍ଧ ଅଟେ । ଆଜି ସକାଳୁ ଏନେଇ କାର୍ଯ୍ୟ ଜାରି ରଖିଛୁ । ସୁରକ୍ଷା ପ୍ରତିଷ୍ଠାନ ଗୁଡିକର ମୁଖ୍ୟମାନଙ୍କୁ ଡକାଇ ଆଲୋଚନା କରୁଛୁ । ଇସ୍ରାଏଲର ସହରାଞ୍ଚଳରେ ପ୍ରବେଶ କରିଥିବା ଆତଙ୍କବାଦୀମାନଙ୍କୁ ଖାଲି କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି ।''