ଓଡିଶା

odisha

ନାଇଜେରିଆରେ ବୋମା ବିସ୍ଫୋରଣ, ୨୭ ମୃତ

By

Published : Jan 26, 2023, 7:52 AM IST

ବୋମା ବିସ୍ଫୋରଣ ଯୋଗୁଁ ନାଇଜେରିଆରେ ୨୭ ଜଣଙ୍କର ମୃତ୍ୟୁ । ଅନେକ ଆହତ ହୋଇଥିବା ପୋଲିସ ତରଫରୁ ସୂଚନା । ଅଧିକ ପଢନ୍ତୁ

bomb explosion in central Nigeria
ନାଇଜେରିଆରେ ବୋମା ବିସ୍ଫୋରଣ

ଆବୁଜା:ନାଇଜେରିଆରେ ବୋମା ବିସ୍ଫୋରଣ । ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା । ଏନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, "ବୁଧବାର ଦିନ ନାସାରାୱା ଏବଂ ବେନୁ ରାଜ୍ୟ ସୀମାରେ ଥିବା ଗ୍ରାମର ରୁକୁବିରେ ବିସ୍ଫୋରଣ ହେତୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ପଶୁ ଚରାଳି ହୋଇଥିବା ସୂଚନା ମିଳିଛି । ସେମାନେ ଗାଇ ଚରାଇବାକୁ ଯାଇଥିବା ବେଳେ ବିସ୍ଫୋରଣ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ।"

ନାସାରୱା ପୋଲିସର କମିଶନର ମାୟାକି ମହମ୍ମଦ ବାବା କହିଛନ୍ତି ଯେ, ବୋମା ବିସ୍ଫୋରଣ ଯୋଗୁଁ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ପଶୁ ଆହତ ହୋଇଛନ୍ତି । ଏନେଇ ଖବର ମିଳିବାପରେ ଘଟଣାସ୍ଥଳକୁ ଯାଇ ଆମେ ତଦନ୍ତ କରିଥିଲୁ । ଅନେକ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ କରୁଛି । ତଦନ୍ତ ପରେ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ । କିନ୍ତୁ ଏକ ଚରାଳି ଗୋଷ୍ଠୀ କହିଛନ୍ତି ଯେ ସାମରିକ ଆକ୍ରମଣରୁ ବିସ୍ଫୋରଣ ଘଟିଛି ।

ନାଇଜେରିଆ ବାୟୁସେନା ମୁଖପାତ୍ର ଏନେଇ କୌଣସି ପ୍ରତିକ୍ରିୟା ରଖିନଥିବା ଏକ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି । ତେବେ ନାଇଜେରିଆରେ ପଶୁପାଳକ ଓ କୃଷକମାନଙ୍କ ମଧ୍ୟରେ ପୂର୍ବରୁ ଜଳ ଅଧିକାରକୁ ନେଇ ବିବାଦ ଲାଗି ରହିଥିଲା ।

ଗତବର୍ଷ ନାଇଜେରିଆର ତେଲ କାରଖାନାରେ ବିସ୍ଫୋରଣ ଘଟି ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଦକ୍ଷିଣ ରାଜ୍ୟ ଇମୋ ଏବଂ ନଦୀ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଏଗବେମା ସରକାରୀ ଅଞ୍ଚଳର ବେଆଇନ ତୈଳ ବିଶୋଧନାଗାରରେ ଏହି ବିସ୍ଫୋରଣ ଘଟିଥିଲା । କାରଖାନାକୁ ପୂର୍ବରୁ ବେଆଇନ ଘୋଷଣା କରାଯିବା ପରେ ମଧ୍ୟ କାର୍ଯ୍ୟ ଜାରି ରହିଥିଲା । ବିସ୍ଫୋରଣ ଘଟିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଫେରାର ହୋଇଯାଇଥିଲେ ।

ସେହିପରି ଜାନୁଆରୀ ୧୨ ତାରିଖରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୨୦ରୁ ଅଧିକ ପ୍ରାଣ ହରାଇଥିଲେ। ଦେଶର ବିଦେଶ ମନ୍ତ୍ରଣାଳୟ ବାହାରେ ଏହି ବିସ୍ଫୋରଣ ହୋଇଥିଲା କିନ୍ତୁ ବିସ୍ପୋରଣ ସମୟରେ ମନ୍ତ୍ରାଳୟରେ ତାଲିବାନ ଓ ଚୀନି ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା । ତେବେ ବିସ୍ଫୋରଣ ପରେ ବୈଠକକୁ ସ୍ଥଗିତ ରଖାଯାଇଥିବା ବେଳେ ଏହା ଏକ ଆତ୍ମଘାତୀ ବିସ୍ଫେରଣ ବୋଲି କାବୁଲ ସୁରକ୍ଷା ମୁଖପାତ୍ର କହିଥିଲେ ।

ABOUT THE AUTHOR

...view details