ହାଇଦ୍ରାବାଦ:ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଧରି ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ୍ କରିବା ପରେ ଗତ ଶୁକ୍ରବାରଠାରୁ ଗାଜାର ଉତ୍ତରାଞ୍ଚଳରେ ଗ୍ରାଉଣ୍ଡ୍ ଅପରେସନ ଆରମ୍ଭ କରିଛି ଇସ୍ରାଏଲ ସେନା । ତେବେ ଶୁକ୍ରବାର ସଂଧ୍ୟାରୁ ଗତ ଶନିବାର ମଧ୍ୟରେ (ଗତ 24 ଘଣ୍ଟା ମଧ୍ୟରେ) ପ୍ରାୟ 377 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ପାଲେଷ୍ଟାଇନ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ଏବେ ମଧ୍ୟ ଇସ୍ରାଏଲ ସେନା ଗ୍ରାଉଣ୍ଡ୍ ଅପରେସନ ଜାରି ରଖିଛି । ପୁରା ଧ୍ବସ୍ତ ବିଧ୍ବସ୍ତ ହୋଇସାରିଲାଣି ଗାଜା ।
ଅନ୍ୟପଟେ ସମଗ୍ର ଅପରେସନରେ ଗାଜା ପଟିରେ ମୃତ୍ୟୁସଂଖ୍ୟା ପ୍ରାୟ 7 ହଜାରରୁ ଅଧିକ ହୋଇସାରିଥିବା ସନ୍ଦେହ ପ୍ରକାଶ ପାଇଛି । ସେହିପରି ଗାଜା ପଟି ସମେତ ପାଲେଷ୍ଟାଇନ ଓ୍ବେଷ୍ଟବ୍ୟାଙ୍କରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ 110 ସାଧାରଣ ପାଲେଷ୍ଟାନୀୟ ନାଗରିକଙ୍କ ମୃତ୍ଯୁ ହୋଇଥିବା କୁହାଯାଉଛି । ଅନ୍ୟପଟେ ଆଜି ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ସଂଖ୍ୟାଧିକ ରାଷ୍ଟ୍ରଙ୍କ ଭୋଟ ସହ ପାରିତ ହୋଇଛି । ମାତ୍ର ଇସ୍ରାଏଲ, ଆମେରିକା ସମେତ ଏକାଧିକ ପଶ୍ଚିମ ରାଷ୍ଟ୍ର ଏହି ପ୍ରସ୍ତାବ ସମ୍ପର୍କରେ ଭୋଟ ମଧ୍ୟ ଦେଇନାହାନ୍ତି । ଏପରିକି ଭାରତ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ତେଣୁ ଏପରି ସ୍ଥିତିରେ ଜାତିସଂଘରେ ପାରିତ ପ୍ରସ୍ତାବର ବାସ୍ତବ କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି ହୋଇଛି ।