ଲଣ୍ଡନ:ବିଦେଶରେ ନିଶାସକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ଜେଲ ଦଣ୍ଡ ପାଇଛନ୍ତି ଭାରତୀୟ ଇଞ୍ଜିନିୟରିଂ ଛାତ୍ର । 20 ବର୍ଷର ଭାରତୀୟ ଛାତ୍ର ଜଣକ ନିଶାସକ୍ତ ଅବସ୍ଥାରେ ଥିବା ମହିଳାଙ୍କୁ ନିଜ ଫ୍ଲାଟକୁ ନେଇ ଦୁଷ୍କର୍ମ କରିଥିବା ସିସିଟିଭି ଫୁଟେଜରେ ମଧ୍ୟ କଏଦ ହୋଇଛି । ସେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ 6 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୱେଲ୍ସ ସ୍ଥିତ କାର୍ଡିଫ ସିଟି ସେଣ୍ଟରରୁ ପୀଡ଼ିତାଙ୍କୁ ଟେକି ନେଇ ଅଭିଯୁକ୍ତ ଛାତ୍ର ଜଣକ ଦୁଷ୍କର୍ମ କରିଥିବା ଜଣାପଡିଛି ।
ପୀଡିତା ଜଣକ ନିଜ ବନ୍ଧୁମାନଙ୍କ ସହିତ ରାତିରେ ପାର୍ଟି କରୁଥିବା ସମୟରେ ଅତ୍ୟଧିକ ମଦ୍ୟ ପାନ କରିଥିଲେ । ସେ ନିଶାସକ୍ତ ଅବସ୍ଥାରେ ରହିଥିବା ବେଳେ ଅଭିଯୁକ୍ତ ଭାରତୀୟ ଛାତ୍ର ପ୍ରୀତ ଭିକାଲ ପୀଡ଼ିତାଙ୍କୁ ଟେକି ନେଇଥିଲେ । ପ୍ରୀତ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି । କାର୍ଡିଫରେ ଜଣେ ଅପରିଚିତଙ୍କ ଦ୍ବାରା ଦୁଷ୍କର୍ମ ଘଟଣାକୁ ଅସାଧାରଣ ବୋଲି କହିଛନ୍ତି କନଷ୍ଟେବଳ ନିକ ଉଡଲ୍ୟାଣ୍ଡ । ଜଣେ ମହିଳା ନିଜ କାବୁରେ ନଥିବା ବେଳେ ଏହାର ଫାଇଦା ଉଠାଇଥିଲା ଅଭିଯୁକ୍ତ । ପୀଡ଼ିତା ଜଣକ ସାଙ୍ଗସାଥୀଙ୍କଠୁ ଅଲଗା ହେବା ପରେ ଏହାର ସୁଯୋଗ ନେଇ ଅଭିଯୁକ୍ତ ତାକୁ ଫ୍ଲାଟକୁ ନେଇ ଦୁଷ୍କର୍ମ କରିଥିଲା ବୋଲି ସେ କହିଛନ୍ତି ।
ଏହା ବି ପଢନ୍ତୁ- ଏଇଠି ଅଛି ଛାଡପତ୍ର ମନ୍ଦିର, ଜାଣନ୍ତୁ ମନ୍ଦିର ପଛର କାହାଣୀ
ପୀଡ଼ିତାଙ୍କୁ ଅଭିଯୁକ୍ତ ଟେକି ନେଇ ଯାଉଥିବାର ସିସିଟିଭି ଭିଡିଓ କୋର୍ଟରେ ଦାଖଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଛି ଯେ ପୀଡ଼ିତା ଓ ଅଭିଯୁକ୍ତ ନିଜ ନିଜ ବନ୍ଧୁମାନଙ୍କ ସହିତ କାର୍ଡିଫ ସିଟି ସେଣ୍ଟରକୁ ଆସିଥିଲେ । ପୀଡ଼ିତା ଜଣକ ନିଶା ସେବନ ପରେ ହୋସରେ ନଥିବା ବେଳେ ଏହାର ସୁଯୋଗ ନେଇଥିଲା ଅଭିଯୁକ୍ତ । ରାତି ପ୍ରାୟ 4ଟା ସମୟରେ ସେ ମହିଳାଙ୍କୁ ରାସ୍ତାରେ ନେଇ ଫ୍ଲାଟ ଆଡ଼କୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଯେତେବେଳେ ପୀଡ଼ିତା ଜଣକ ହୋସକୁ ଆସିଥିଲେ, ସେତେବେଳେ ସେ ଅଭିଯୁକ୍ତ ଭିକାଲଙ୍କୁ ଶାରୀରିକ ସମ୍ବନ୍ଧ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଶାରୀରିକ ସମ୍ବନ୍ଧ ବନାଇବା ସମୟରେ ସେମାନେ ପ୍ରୋଟେକ୍ସନ ବ୍ୟବହାର କରିଥିଲେ କି ନାହିଁ ପ୍ରଶ୍ନ କରିଥିଲେ । ମାତ୍ର ଅଭିଯୁକ୍ତ ଜଣକ ମନା କରିବା ପରେ ସେ ସଙ୍ଗେସଙ୍ଗେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ବୋଲି କୋର୍ଟଙ୍କୁ ଶୁଣାଣି ବେଳେ ଅବଗତ କରାଇଥିଲେ ଆଇନଜୀବୀ ମାଥ୍ୟୁ କବ୍ । ହେଲେ ଶାରୀରିକ ସମ୍ବନ୍ଧ ବନାଇବା ଲାଗି ପୀଡ଼ିତା ମଧ୍ୟ ରାଜି ଥିବା କୋର୍ଟଙ୍କୁ କହିଥିଲେ ଅଭିଯୁକ୍ତ ଭିକାଲ । ମାତ୍ର ପୀଡ଼ିତା ନିଶାସକ୍ତ ଅବସ୍ଥାରେ ଥିବାରୁ ଏହା ଅନୁଚିତ ଥିଲା ବୋଲି କହିଥିଲେ ଆଇନଜୀବୀ । କୋର୍ଟରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ପରେ ଭାରତୀୟ ଛାତ୍ର ଜଣକ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ 6ବର୍ଷ 9 ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।