ଲଣ୍ଡନ:କେରଳ ୱାୟନାଡ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ପ୍ରତ୍ତି ବ୍ରିଟେନ ଗସ୍ତରେ ଅଛନ୍ତି । ଏହି ଅବସରରେ ରାହୁଲ ଲଣ୍ଡନ ସ୍ଥିତ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ନିଜର ଉଦବୋଧନରେ କଂଗ୍ରେସ ନେତା ପେଗାସସ୍ ପ୍ରସଙ୍ଗ ଉଠାଇ କେମ୍ବ୍ରିଜରୁ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ସରକାର ପେଗାସସ୍ ଜରିଆରେ ତାଙ୍କ ଫୋନରେ ଗୁଇନ୍ଦାଗିରି କରିଥିବା ସେ ଅଭିଯୋଗ କରିଛନ୍ତି । ରାହୁଲ କହିଛନ୍ତି, ''ମୋ ଫୋନରେ ପେଗାସସ୍ ଥିଲା । ଗୁଇନ୍ଦା ଅଧିକାରୀମାନେ ମୋତେ ଏ ସମ୍ପର୍କରେ ଜଣାଇଥିଲେ ଏବଂ ଫୋନରେ କଥାବର୍ତ୍ତା ସମୟରେ ସତର୍କ ରହିବାକୁ କହିଥିଲେ ।''
କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ବିଜେନେସ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ସମ୍ବୋଧିତ କରି ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଯେଉଁ ସଂସ୍ଥା ଗୁଡିକ ସ୍ବତନ୍ତ୍ର ରହିବା ଆବଶ୍ୟକ ସେହି ସଂସ୍ଥା ଗୁଡିକୁ କେନ୍ଦ୍ର ସରକାର କବ୍ଜା କରିଛନ୍ତି । ମିଡିଆ ଠାରୁ ଆରମ୍ଭ କରି ନ୍ୟାୟପାଳିକା ଯାଏ ଏବେ ସବୁକିଛି ମୋଦି ସରକାରଙ୍କ ନିୟନ୍ତ୍ରଣରେ ରହିଛି । ପେଗାସସ୍ ଜରିଆରେ ବିଭିନ୍ନ ରାଜନେତାଙ୍କ ସହ ତାଙ୍କ ଫୋନରେ ଗୁଇନ୍ଦାଗିରି କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଇସାରାରେ ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା ।
ଏହାସହିତ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ କହିଛନ୍ତି । ସେ ଗଣତାନ୍ତ୍ରିକ ମୂଲ୍ୟବୋଧ ବିହୀନ ଦୁନିଆ ଦେଖିପାରିବେ ନାହିଁ ବୋଲି ରାହୁଲ କହିଛନ୍ତି । 'Learning to Listen in the 21st Century' ପ୍ରସଙ୍ଗରେ ସେ କହିଛନ୍ତି, ଆମମାନଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବାକୁ ହେବ । ଏମିତି ଏକ ଦୁନିଆ ଗଢିବାକୁ ପଡିବ ଯେଉଁଠି କାହା ଉପରେ କୌଣସି ଜିନିଷ ଜୋର ଜବରଦସ୍ତ ଲଦି ଦିଆଯାଉନଥିବ । ଏହି ଅବସରରେ ରାହୁଲ ବିଶ୍ବ ଅର୍ଥବ୍ୟବସ୍ଥାରେ ଆସିଥିବା ହ୍ରାସକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ବିଶେଷକରି ଭାରତ ଓ ଆମେରିକାରେ ଉତ୍ପାଦନ ସେକ୍ଟରରେ ଆସିଥିବା ହ୍ରାସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏହି ପରିବର୍ତ୍ତନ ଆକ୍ରୋଶ ଓ ବଡ ପରିମାଣରେ ଅସମାନତା ସୃଷ୍ଟି କରୁଛି । ଏ ଦିଗରେ ଚିନ୍ତା କରିବା ଓ ଆଲୋଚନା କରିବାର ଆବଶ୍ୟକତା ଥିବା ସେ କହିଛନ୍ତି । ସେହିପରି ନିଜର ସମ୍ବୋଧନରେ ରାହୁଲ ଭାରତ ଯୋଡୋ ଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।
''ହିଂସାଗ୍ରସ୍ତ କାଶ୍ମୀରରେ ପଦଯାତ୍ରା ପାଇଁ ଆମକୁ ସତର୍କ କରାଯାଇଥିଲା । ମାତ୍ର ଆମେ କାଶ୍ମୀରରେ ପହଞ୍ଚିବା ପରେ ସେଠାରେ ହଜାର ହଜାର ଲୋକ ତ୍ରିରଙ୍ଗା ଧରି ଆମ ସହିତ ଚାଲିଥିଲେ । ତେବେ ପଦଯାତ୍ରା ସମୟରେ କିଛି ଯୁବକ ମୋତେ ଏକ ଅଲଗା ନଜରରେ ଚାହୁଁଥିଲେ । ସେମାନେ ଉଗ୍ରବାଦୀ ହୋଇଥିବା ଜଣେ ବ୍ୟକ୍ତି ଜଣାଇଥିଲେ । ମାତ୍ର ସମ୍ପୃକ୍ତ ଯୁବକମାନେ କୌଣସି କ୍ଷତି କରିନଥିଲେ ।'' ବୋଲି ରାହୁଲ କହିଛନ୍ତି ।