ଇସ୍ତାନବୁଲ:ତୁର୍କୀରେ ପୁଣି ଥରେ ଭୂକମ୍ପ । ଲଗାତାର ଚତୁର୍ଥ ଥର ପାଇଁ ତୁର୍କୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତୁର୍କୀର ଗୋଲବାସି ସହରରେ 5.5 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବା ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ତରଫରୁ ସୂଚନା ମିଳିଛି । ମଙ୍ଗଳବାର ସକାଳ 8ଟା 43 ମିନିଟରେ ଅନୁଭୁତ ହୋଇଥିବା ଏହି ଭୂକମ୍ପର ଗଭୀରତା 10 କିଲୋମିଟର ରହିଥିଲା । ତେବେ ଗତକାଲି(ସୋମବାର) ତିନି ଥର ଭୂକମ୍ପ ପରେ ତୁର୍କୀରେ ମୃତ୍ୟୁ ସଂଖ୍ୟା କ୍ରାମଗତ ଭାବେ ବୃଦ୍ଧି ହେବାରେ ଲାଗିଛି । ଭୂକମ୍ପର ପ୍ରଭାବ ସିରିଆରେ ମଧ୍ୟ ଅନୁଭୂତ ହୋଇଥିବା ବେଳେ ବର୍ତ୍ତମାନ ଉଭୟ ଦେଶର ମୋଟ ମୃତ୍ୟୁସଂଖ୍ୟା 4ହଜାର ପାର କରିଛି । ବାରମ୍ବାର ଭୂକମ୍ପ ଉଦ୍ଧାର କାର୍ଯ୍ୟକୁ ପ୍ରଭାବିତ କରିବା ସହ କ୍ଷୟକ୍ଷତି ବଢିବାରେ ଲାଗିଛି ।
ଗୋଟିଏ ପଟେ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଇଛି । ଲଗାତାର ଭୂକମ୍ପ ଯୋଗୁଁ ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ବହୁ ବଡବଡ କୋଠା ଭୂଶୁଡି ପଡିଥିବା ବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି । ପ୍ରତିକୂଳ ପରିବେଶ ତଥା ବିପର୍ଯ୍ୟୟ ବିଭୀଷିକା ମଧ୍ୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ତୁର୍କୀ ସରକାର ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ତେବେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପରେ ବିଭିନ୍ନ ଦେଶ ତୁର୍କୀକୁ ସାହାଯ୍ୟରେ ହାତ ବଢାଇଛନ୍ତି । ଭାରତ ମଧ୍ୟ ତୁର୍କୀକୁ ଉଦ୍ଧାରକାରୀ ଟିମ୍ ପଠାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୁଣି ଭୂକମ୍ପ ହୋଇଛି । ଫଳରେ ଛାରଖାର ହୋଇଯାଇଛି ତୁର୍କୀ ।