ହୋନିଆରା:ସୋଲେମାନ ଦୀପପୁଞ୍ଜରେ ଭୟଙ୍କର ଭୂକମ୍ପ ଝଟକା (Earthquake hits Solomon Islands) । ଭୂକମ୍ପରେ ଥରିଲା ସୋଲେମାନ ଦୀପପୁଞ୍ଜର ହୋନିଆରା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.0 ରେକର୍ଡ କରାଯାଇଛି । ହୋନିଆରାର ଦକ୍ଷିଣ ପଶ୍ଚିମରୁ 56 କିଲୋମିଟର (35 miles) ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ୟୁଏସ ଜିଓଗ୍ରାଫିକାଲ ସର୍ଭେ (US Geographical Survey ) ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ସକାଳ 8.8 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା 13 କିଲୋମିଟର ରୋକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ 9.81 ହୋଇଥିବାବେଳେ ଦ୍ରାଘିମା 159.61 ରହିଛି । ଭୂକମ୍ପ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ତେବେ ଏହି ସମୟରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିବାର ଦେଖିବାକୁ ମିଳିଥିଲା । ଗତ କିଛି ଦିନ ହେବ ବିଶ୍ବର ବିଭିନ୍ନ ଦେଶରେ ଲଗାତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।