ଶ୍ରୀନଗର: ଆସନ୍ତା ସୋମବାରଠୁ ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଜି ୨୦ର ବୈଠକ ଆରମ୍ଭ ହେବାକୁ ଯାଉଛି । ଏଥିରେ ଅନେକ ଦେଶ ସାମିଲ ହେବାକୁ ଯାଉଥିବା ବେଳେ ବୈଠକରେ ଯୋଗ ଦେବାକୁ ନେଇ କେଁ କାଢିଛି ଚୀନ । ଏନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, କାଶ୍ମୀର ଭଳି ବିବାଦୀୟ କ୍ଷେତ୍ରରେ ଜି୨୦କୁ ବିରୋଧ କରୁଛି ଚୀନ । ଆମେ ଏଭଳି ବୈଠକରେ ଯୋଗଦେବୁ ନାହିଁ । ଏନେଇ ଶୁକ୍ରବାର କୁହାଯାଇଛି । କହିରଖୁଛୁ କି, ଚୀନ ପାକିସ୍ତାନର ଘନିଷ୍ଠ ସହଯୋଗୀ ରହିଛି ।
ମେ ୨୨ରୁ ୨୪ ତାରିଖ ଯାଏଁ ଶ୍ରୀନଗରରେ ହେବ G20ର ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର ଦିନ କହିଥିଲେ, "ଶ୍ରୀନଗରରେ ଜି ୨୦ ବୈଠକ ଜମ୍ମୁ କଶ୍ମୀରର ବାସ୍ତବିକ କ୍ଷମତା ଦେଖାଇବା ପାଇଁ ଏକ ସୁଯୋଗ ଅଟେ । ଶ୍ରୀନଗରରେ ହେବାକୁ ଥିବା କାର୍ଯ୍ୟକ୍ରମ ଦେଶ ତଥା ବିଶ୍ୱକୁ ଏକ ସକରାତ୍ମକ ବାର୍ତ୍ତା ଦେବ ।"
ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିଲା ଜବାବ: ପ୍ରକାଶଥାଉକି, ଜମ୍ମୁକାଶ୍ମୀରକୁ ନେଇ ପୂର୍ବରୁ ଚୀନ ଏବଂ ପାକିସ୍ତାନ ଅନେକ ପ୍ରକାର ବିଷୟକୁ ନେଇ ନିନ୍ଦା କରିଥିଲେ । ତେବେ ଏହି ପ୍ରସଙ୍ଗରେ ପାକିସ୍ତାନକୁ ପାଲଟା ଜବାବ ଦେଇଛି ଭାରତ । ଜମ୍ମୁ, କାଶ୍ମୀର ଓ ଲଦାଖ ଦେଶର ଅନ୍ୟ ଅଂଶ ପରି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଏବଂ ରହିବ ବୋଲି କହିଥିଲା ବୈଦେଶିକ ମନ୍ତ୍ରଣାଳୟ । ଏହାସହ ଅନ୍ୟ କୌଣସି ଦେଶ ଏହା ଉପରେ ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି କଡା ସମାଲୋଚନା କରି କୁହାଯାଇଥିଲା ।