ୱାଶିଂଟନ:ୟୁକ୍ରେନ-ଋଷିଆ ଯୁଦ୍ଧକୁ ଆଜି ବର୍ଷେ ପୁରିଛି । ଆଜକୁ ଠିକ୍ ବର୍ଷକ ତଳେ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ଦିନ ଧରି ଚାଲିଥିବା ଏହି ସଂଘର୍ଷରେ ୟୁକ୍ରେନ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ବେଳେ ଦୁଇ ରାଷ୍ଟ୍ରର ହଜାର ହଜାର ସେନା ପ୍ରାଣ ହରାଇଛନ୍ତି । ଲକ୍ଷାଧିକ ଲୋକ ଦେଶ ଛାଡି ଅନ୍ୟତ୍ର ଶରଣ ନେଇଛନ୍ତି । ଏହି ଯୁଦ୍ଧର ପରିସମାପ୍ତ ପାଇଁ ଗୁରୁବାର ଜାତିସଂଘର ସାଧାରଣ ପରିଷଦରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଋଷିଆ ତୁରନ୍ତ ୟୁକ୍ରେନରୁ ସେନା ପ୍ରତ୍ୟାହାର କରୁ ବୋଲି ଏଥିରେ ଦାବି କରାଯାଇଥିଲା । ହେଲେ ପୂର୍ବଥର ଭଳି ପୁଣିଥରେ ଭାରତ ଏହି ପ୍ରସ୍ତାବ ଉପରେ ଭୋଟ ଦେବାରୁ ନିଜକୁ ଦୂରେଇ ରଖିଛି ।
୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ପରିଷଦରେ ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏହି ପ୍ରସ୍ତାବ ସପକ୍ଷରେ ୧୪୧ ସଦସ୍ୟ ରାଷ୍ଟ୍ର ଭୋଟ ଦେଇଥିଲେ । ୭ଟି ରାଷ୍ଟ୍ର ଏହାକୁ ବିରୋଧ କରିଥିବାବେଳେ ଭାରତ ସମେତ ୩୨ ରାଷ୍ଟ୍ର ଭୋଟ ଦେବାରୁ ନିବୃତ୍ତ ରହିଥିଲେ । ଚୀନ ମଧ୍ୟ ଏହି ଯୁଦ୍ଧ ପ୍ରସ୍ତାବ ଉପରେ ଭୋଟ ଦେବାରୁ ଦୂରେଇ ରହିଥିଲା । ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା କମ୍ବୋଜ କହିଛନ୍ତି ଯେ, ଭାରତ ଜାତିସଂଘ ଚାର୍ଟରର ସିଦ୍ଧାନ୍ତ ଗୁଡିକୁ ଅନୁପାଳନ କରେ । ଆଲୋଚନା ଓ କୂଟନୀତି ଜରିଆରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆମେ ବିଶ୍ବାସ କରୁଛୁ । ତେଣୁ ଭୋଟଦାନରୁ ବିରତ ରହିଛୁ ।