ଅଙ୍କାରା: ତୁର୍କୀ ଉପରେ କୋପ କରିଛି ପ୍ରକୃତି । ଥରେକି ଦୁଇଥର ନୁହେଁ ଲଗାତାର ଭୂକମ୍ପରେ ଥରୁଛି ସହର । ତୁର୍କୀ ଓ ସିରିଆରେ ହୋଇଥିବା ଭୂକମ୍ପ ତାଣ୍ଡବକୁ ଏକ ସପ୍ତାହ ବିତିନଥିବା ବେଳେ ପୁଣି ଆଉ ଏକ ଭୂକମ୍ପରେ ଥରିଛି । ରବିବାର ପୁଣି ସିରିଆରେ ଭୂକମ୍ପ ହୋଇଛି । ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତୁର୍କୀର ଦକ୍ଷିଣାଞ୍ଚଳରେ ରହିଥିବା କାରହମନମାରସରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ପ୍ରକାଶଥାଉକି ଗତ ଫେବୃଆରୀ ୬ ତାରିଖରେ ଏକ ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତୁର୍କୀ ।
ସୂଚନାଅନୁସାରେ, ରବିବାର ବିଳମ୍ବିତ ରାତିରେ ତୁର୍କୀ କାରହମନମାରସର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ବିଳମ୍ବିତ ରାତି ପ୍ରାୟ ୧୨.୦୩ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର ଗଭୀରତା ୧୫.୭ ରେକର୍ଡ କରାଯାଇଛି ।
ଗତ ୬ ତାରିଖ ଦିନ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତୁର୍କୀ । ନୁରଦଗୀର ପୂର୍ବରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନୁରଦଗୀର ୨୩ କିଲୋମିଟର ପୂର୍ବରେ ଏକ ଭୂକମ୍ପ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଭୂକମ୍ପ ହୋଇଛି ।
ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇଥିଲା । ତେବେ ବୋଝ ଉପରେ ନଳିତା ବିଡା ଭଳି ସେହିଦିନ ଅପରାହ୍ନରେ ପୁଣିଥରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ମଧ୍ୟ 7.5 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ସ୍ଥିତି ଏତେ ଗମ୍ଭୀର ଯେ, ଉଦ୍ଧାର କାର୍ଯ୍ୟ ଯେତିକି ବ୍ୟାପକ ହେବାରେ ଲାଗିଛି ମୃତ୍ୟୁସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାରକାର୍ଯ୍ୟ ସରିପାରି ନାହିଁ ।