ନୂଆଦିଲ୍ଲୀ:ବେଳକୁ ବେଳ ଭୟଙ୍କର ହେଉଛି ଋଷ ଓ ୟୁକ୍ରେନ ମହାଯୁଦ୍ଧ । ଋଷ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହର ଉପରେ ଜାରି ରହିଛି ଆକ୍ରମଣ । ଏପଟେ ଆକ୍ରମଣରେ ସାଧରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।
ସେହିପରି ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧକୁ ୨୫ ଦିନ ପୁରିଛି । ତେବେ ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ଗତକାଲି ୟୁକ୍ରେନରେ ୯୦୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏଥିସହ ପ୍ରାୟ ୧୧୨ ଜଣ ଶିଶୁ ମଧ୍ୟ ଗତକାଲି ଋଷ ଆକ୍ରମଣରେ ପ୍ରାଣ ହରାଇଛନ୍ତି ବୋଲି ୟୁକ୍ରେନ ସରକାରୀ ଓକିଲ ଜେନେରାଲଙ୍କ ଅଫିସ ପକ୍ଷରୁ କୁହାଯାଇଛି ।
ସେହିଭଳି ଗତକାଲି ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ସଂଖ୍ୟା ଆହୁରି ବଢି ପାରେ ବୋଲି ୟୁଏନଏଚଆରସି ଆଜି କହିଛି । ଏପଟେ ୟୁକ୍ରେନର ବିଭିନ୍ନ ସହରକୁ ନିଜ ଦଖଲରେ ନେଇଥିବା ଋଷ ବିରୋଧରେ ସାଧାରଣ ଲୋକେ କରୁଥିବା ଦେଖିବାକୁ ମିଳିଛି । ୟୁକ୍ରେନର ଖେର୍ଶନ, କାଖୋଭକା ଏବଂ ବ୍ରେଦ୍ୟାନସ୍କ ସମେତ ଅନେକ ସହରରେ ଲୋକେ ଏହି ବିକ୍ଷୋଭ କରିଛନ୍ତି ।
ଅପରପକ୍ଷରେ ଋଷିଆର ଆକ୍ରମଣକୁ ବିରୋଧ କରି ସାଧାରଣ ଲୋକେ ବିକ୍ଷୋଭ କରିବା ସହ ସାମାଜିକ ଗଣମାଧ୍ୟମରେ ଭିଡିଓ ଛାଡିଛନ୍ତି । ଏଥିସହ ଆମେ ଦେଶର ଶାନ୍ତି ଚାହୁଁଛୁ ବୋଲି କହିଛନ୍ତି । ଏହା ସହିତ ମଧ୍ୟ ବିଭିନ୍ନ ସହରରେ ଲୋକେ ଋଷର ଆକ୍ରମଣକୁ ବିରୋଧ କରି ଶୋଭାଯାତ୍ରା କରିଛନ୍ତି ।
ଅନ୍ୟପଟେ ମିଳିତ ଜାତିସଂଘର ଶରଣାର୍ଥୀ ହାଇ କମିଶନର ଫିଲିପ୍ପୋ ଗ୍ରାଣ୍ଡି ଟ୍ୱିଟ୍ କରି କହିଛନ୍ତି ଯେ, ଋଷିଆ ଆକ୍ରମଣ ହେତୁ ୧୦ ମିଲିୟନ ଲୋକ ବର୍ତ୍ତମାନ ୟୁକ୍ରେନରେ ନିଜ ଘର ଛାଡି ପଳାଇଛନ୍ତି । ତେବେ ଏହା ୟୁକ୍ରେନ ଜନସଂଖ୍ୟାର ଏକ ଚତୁର୍ଥାଂଶରୁ ଅଧିକ ହେବ ବୋଲି ସେ କହିଛନ୍ତି ।