ବର୍ଲିନ: ଚଳିତବର୍ଷ କୋରୋନା ମହାମାରୀକୁ ନେଇ ସାରା ବିଶ୍ବ ଚିନ୍ତାଗ୍ରସ୍ତ । ଏମିତିରେ ଜି7 ସମ୍ମିଳନୀରେ ଚଳିତବର୍ଷ ଅତି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ପାଇଁ ଆହ୍ବାନ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ମେ’ 20ରେ ଟ୍ରମ୍ପ ଜୁନ ମାସ ଶେଷ ସପ୍ତାହ ଆଡକୁ ୱାଶିଂଟନରେ ଜି7 ସମ୍ମିଳନୀର ଆୟୋଜନ ନେଇ ଘୋଷଣା କରିଥିଲେ । ଯେଉଁଥିରେ ଯୋଗ ଦେବା ପାଇଁ ମନା କରିଦେଇଛନ୍ତି ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ ।
ଏନେଇ ସୂଚନା ଦେଇଛନ୍ତି ଜର୍ମାନୀର ସରକାରୀ ମୁଖପାତ୍ର ଷ୍ଟିଫେନ ସୈବର୍ଟ । ନିର୍ଦ୍ଧାରିତ ସୂଚୀ ମୁତାବକ ଜି7 ସମ୍ମିଳନୀ ଜୁନ 10ରୁ 12 ପର୍ଯ୍ୟନ୍ତ ଆୟୋଜିତ ହେବାର ଯୋଜନା ରହିଥିଲା । ଏହା ମ୍ୟାରିଲାଣ୍ଡର କ୍ୟାମ୍ପ ଡେଭିଡରେ ଆୟୋଜିତ ହେବାର ଥିଲା । ହେଲେ କୋରୋନା ମହାମାରୀ ପାଇଁ ଏହି ନିର୍ଦ୍ଧାରିତ ଯୋଜନାରେ ପରିବର୍ତ୍ତନ କରାଯାଇ ମାର୍ଚ୍ଚ ମାସରେ ଭିଡିଓ କନଫରେନ୍ସିଂରେ ସମ୍ମିଳନୀ କରିବା ପାଇଁ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ ।