ହାଇଦ୍ରାବାଦ: ବିଧାନସଭା ନିର୍ବାଚନ ସରିଯିବା ପରେ ଏବେ ତେଲେଙ୍ଗାନାରେ 2019 ଲୋକସଭା ନିର୍ବାଚନର ତାତି ଅନୁଭୂତ ହେଲାଣି । ଦିନକୁ ଦିନ ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳର ମଙ୍ଗୁଆଳ । ମେଣ୍ଟ ଗଠନ କିମ୍ବା ସହଯୋଗ ଭିତ୍ତିରେ ନିର୍ବାଚନ ଲଢିବା ପାଇଁ କେତେକ ଦଳ ଉଦ୍ୟମ କରୁଥିବାର ଜଣାପଡିଛି । ଯାହା ଫଳରେ ତେଲେଙ୍ଗାନାର ରାଜନୈତିକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।
ତେଲେଙ୍ଗାନାରେ କ୍ଷମତାସୀନ ଥିବା ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ଏବଂ ରାଜ୍ୟର ଅନ୍ୟତମ ପ୍ରମୁଖ ଦଳ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତିହାଦୁଲ ମୁସଲିମିନ୍(ଏଆଇଏମଆଇଏମ) ମଧ୍ୟରେ ସାମ୍ଭାବ୍ୟ ନିର୍ବାଚନୀ ମେଣ୍ଟ ହୋଇପାରେ । ଅର୍ଥାତ ଉଭୟ ଦଳ ସହଯୋଗ ଭିତ୍ତିରେ 2019 ଲୋକସଭା ନିର୍ବାଚନ ଲଢିପାରନ୍ତି । ପୂର୍ବରୁ ଏହାର ପ୍ରତିଫଳନ ଗତବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା ।