କାବୁଲ: କାବୁଲରେ ଗତ ଗୁରୁବାର ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ଥରିଯାଇଥିଲା ସମ୍ପୂର୍ଣ୍ଣ ଆଫଗାନିସ୍ତାନ । ଚାରିଆଡେ ରକ୍ତଭିଜା କୁଢ କୁଢ ଶବ । କେଉଁଠି ଖଣ୍ଡିଏ ହାତ ପଡିଛି ତ ଆଉ କେଉଁଠି ମୁଣ୍ଡ ବିହୀନ ଶରୀର । ଗୋଟିଏ କି ଦୁଇଟି ନୁହେଁ, ୩ଟି ବିସ୍ଫୋରଣରେ ଦୋହଲି ଯାଇଥିଲା କାବୁଲ ବିମାନବନ୍ଦର । ଆର୍ତ୍ତ ଚିତ୍କାରରେ କମ୍ପିଯାଉଥିଲା ସାରା ଦେଶ । ଏହି ଘଟଣା କେବଳ ଆଫଗାନିସ୍ତାନ ନୁହେଁ, ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଥିଲା । ISIS-Kର ଏହି କୁତ୍ସିତ ଆକ୍ରମଣକୁ ସାରା ବିଶ୍ବବାସୀ ନିନ୍ଦା କରୁଛନ୍ତି । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଆଫଗାନବାସୀଙ୍କ ମାନସପଟରୁ ଲିଭି ପାରୁନି ସେହି ଭୟାନକ ଦୃଶ୍ୟ । ଚାରିଆଡେ ହାହାକାର, ଭୟ ଓ ଡର । କାବୁଲ ବିମାନବନ୍ଦରରେ ନିଜ ନିଜ ଦେଶକୁ ଯିବା ପାଇଁ ଅପେକ୍ଷା କରିଥିବା ଲୋକେ କେବେ ମଧ୍ୟ ଭାବି ନଥିଲେ ଯେ, ମୃତ୍ୟୁ ତାଙ୍କୁ ଅପେକ୍ଷା କରିଛି । ଏକାଥରେ ୩ ବିସ୍ଫୋରଣ ତାଙ୍କ ସମସ୍ତ ସ୍ବପ୍ନ ଓ ଆଶାକୁ ଚୁରମାର କରିଦେଇଥିଲା ।
୧୭୦ ସାଧାରଣ ନାଗରିକ, ୨ ବିଟ୍ରିଶ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ଆମେରିକା ସୈନ୍ୟ ଶହୀଦ ହୋଇଥିଲେ । ଏହାପରେ ଆଫଗାନିସ୍ତାନ ଏକପ୍ରକାର ସ୍ତବ୍ଧ ହୋଇଯାଇଛି । କେବଳ ଆଫଗାନିସ୍ତାନ କାହିଁକି, ଏହାର ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ମଧ୍ୟ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ବିସ୍ଫୋରଣର ଶବ୍ଦରେ ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ଚାରିଆଡେ କ୍ରନ୍ଦନ ଓ ଆତଙ୍କର ପରିସ୍ଥିତି । ୩ ଦିନ ପରେ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କ ମନରୁ ଆତଙ୍କୀଙ୍କ ଛାୟା ହଟିପାରୁନାହିଁ ।
ସୀମାବର୍ତ୍ତୀ ଅଞ୍ଚଳ ପାଲଟିଯାଇଛି କାବୁଲ ବିମାନବନ୍ଦର । ଚାରିଆଡ ଶୂନଶାନ ଓ ଖାଁ-ଖାଁ । ହଜାର ହଜାର ଲୋକ ଡର ଓ ଅରାଜକତା ନେଇ ତୁର୍କମେନିସ୍ତାନ, ଉଜବେକିସ୍ତାନ, ଇରାନ, ତାଜାକିସ୍ତାନ ଓ ପାକିସ୍ତାନ ଭଳି ଅନ୍ୟ ଦେଶମାନଙ୍କରେ ଶରଣ ନେବା ପାଇଁ ପଳାୟନ କରୁଛନ୍ତି । ବିସ୍ଫୋରଣ ପରେ ଆହତ ହେବାପରେ କିଛି ଲୋକ ଆବଶ୍ୟକତା ପାଇଁ ଅନ୍ୟ ଦେଶକୁ ପଳାଉଛନ୍ତି । ଆଫଗାନିସ୍ତାନ ଉପରେ ତାଲିବାନ କବ୍ଜା ପରେ ଉତ୍ତର ଆଫଗାନିସ୍ତାନର ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ହୋଇଯାଇଛି । ସ୍କୁଲରେ ପଡିଯାଇଛି ତାଲା ।
ଭୟରେ ଦେଶ ଛାଡୁଛନ୍ତି ଡାକ୍ତର ଓ ନର୍ସ:
ଉତ୍ତର ଆଫଗାନିସ୍ତାନରେ ଥିବା ସମସ୍ତ ହସପିଟାଲରୁ ଡାକ୍ତର ଓ ନର୍ସ ଖାଲି ହୋଇଯାଇଛନ୍ତି । ରୋଗୀ ଶଯ୍ୟାରେ ପଡି ଛଟପଟ ହେଉଛନ୍ତି । ନାହାଁନ୍ତି ଜଣେ ହେଲେ ବି ଡାକ୍ତର । ବିସ୍ଫୋରଣରେ ଆହତ ହୋଇ ହସପିଟାଲରେ ଭର୍ତ୍ତି ହେବା ପରେ ଚିକିତ୍ସା ପାଇଁ ଆସି ନଥିଲେ କୌଣସି ଡାକ୍ତର କିମ୍ବା ନର୍ସ । ତାଲିବାନଙ୍କ ଡରରେ ହସପିଟାଲ ସହ ଦେଶ ଛାଡି ଚାଲିଯାଇଥିଲେ । କାହାର ମା' ହୃଦରୋଗୀ ହୋଇଥିଲାବେଳେ କାହାର ବାପା ଶେଷ ନିଶ୍ବାସ ଗଣୁଛି । କାହାର ୪ ଦିନ ଶିଶୁର ହାତ ଛିଡିଯାଇଥିବାବେଳେ ଆଉ କାହାର ପତ୍ନୀ ୫ ମାସର ଗର୍ଭବତୀ । ଯନ୍ତ୍ରଣା ଓ କଷ୍ଟରେ ହସପିଟାଲର ଚାରିକାନ୍ଥ କମ୍ପି ଉଠୁଥିବାବେଳେ ଆହା ପଦେ କହିବାକୁ କେହି ନାହିଁ । ସେଥିମଧ୍ୟରୁ ଚିକିତ୍ସା ଅଭାବରେ କିଛି ଲୋକ ମୃତ୍ୟୁବରଣ ମଧ୍ୟ କରିସାରିଲେଣି । ସେଠାକାର ସ୍ଥାନୀୟ ଲୋକ କୁହନ୍ତି ଯେ, ଏଠିକାର ହସପିଟାଲ ଆଉ ହସପିଟାଲ ହେଇକି ନାହିଁ । ଶବାଗାର ପାଲଟି ସାରିଲାଣି । ପ୍ରତିଦିନ ଶତାଧିକ ଲୋକ ମରୁଛନ୍ତି । ଡାକ୍ତରଖାନା ଅଛି, ବେଡ୍ ଅଛି, ରୋଗୀ ବି ଅଛନ୍ତି, କିନ୍ତୁ ନା ଅଛନ୍ତି ଡାକ୍ତର ନା ନର୍ସ । ହସପିଟାଲରେ ରୋଗୀଙ୍କର ଦୁଃଖଦାୟକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଦେଖି ଆହା କହିବା ଛଡା ଅନ୍ୟ କୌଣସି ଉପାୟ ନାହିଁ ।