ୱାଶିଂଟନ: ଆଫଗାନିସ୍ତାନରେ ଚାଲିଥିବା ପରିସ୍ଥିତି ଯୋଗୁଁ ଭାରତର ସୁରକ୍ଷା ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି । ତାଲିବାନ ଆଫଗାନିସ୍ତାନର ନିର୍ବାଚିତ ସରକାରଙ୍କୁ ବିତାଡ଼ିତ କରୁଛି । ଏହି କାର୍ଯ୍ୟ ଲାଗି ତାଲିବାନଙ୍କୁ ପାକିସ୍ତାନ ସମର୍ଥନ କରିବା ସହିତ ପୋଷଣ ଓ ପ୍ରୋତ୍ସାହିତ କରୁଛି ବୋଲି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଶୁକ୍ରବାର କହିଛନ୍ତି । ୱାଶିଂଟନରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଶ୍ରୀଙ୍ଗଲା ଏପରି କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ପାକିସ୍ତାନ ଆଫଗାନିସ୍ତାନର ପଡୋଶୀ ଦେଶ । ଏଣୁ ପାକିସ୍ତାନୀ ତାଲିବାନଙ୍କୁ ସମର୍ଥନ କରୁଛନ୍ତି ଏବଂ ପୋଷଣ କରୁଛନ୍ତି । ତାଲିବାନଙ୍କୁ ଅନେକ କ୍ଷେତ୍ରରେ ପାକିସ୍ତାନ ସମର୍ଥନ କରିଆସୁଛି । ଆଫଗାନିସ୍ତାନରୁ ନିର୍ବାଚିତ ସରକାରଙ୍କୁ ବିତାଡ଼ିତ କରିବା ପଛରେ ପାକିସ୍ତାନର ବଡ଼ ହାତ ଅଛି ବୋଲି ଅନେକ ବିଶେଷଜ୍ଞ ମତ ରଖିଛନ୍ତି । ତାଲିବାନଙ୍କ ସହ ମିଶି ବଡ଼ ଆତଙ୍କୀ ଗୋଷ୍ଠୀ ବନାଇବାକୁ ପାକିସ୍ତାନ ଲକ୍ଷ୍ୟ ରଖିଛି । ସେପଟେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାରେ Al-Qaida ଆତଙ୍କୀ ସଙ୍ଗଠନ ରହୁଛି । ISIL-K ଓ al-Qaidaର ଅନେକ ଆତଙ୍କୀ ପାକିସ୍ତାନରୁ ବର୍ତ୍ତମାନ ଆଫଗାନିସ୍ତାନରେ ପ୍ରବେଶ କରିଛନ୍ତି । ଏହି ଆତଙ୍କୀ ସଙ୍ଗଠନର ମୁଖ୍ୟ ତାଲିବାନଙ୍କ ସହିତ ପାକିସ୍ତାନରେ ମଧ୍ୟ ରହୁଛନ୍ତି ବୋଲି UN ରିପୋର୍ଟରୁ ଜଣାପଡ଼ିଛି ।