ଓଡିଶା

odisha

By

Published : Oct 29, 2020, 6:16 PM IST

ETV Bharat / international

ସତ ମାନିଲା ପାକିସ୍ତାନ; 'ପୁଲୱାମା ଆକ୍ରମଣ ଥିଲା ଇମ୍ରାନ ସରକାରଙ୍କ ବଡ ସଫଳତା'

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଇମ୍ରାନ ସରକାରଙ୍କ ହାତ ଥିବା କହିଲେ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ । ଖାଲି ସେତିକି ନୁହେଁ, ପୁଲଓ୍ବାମା ଆକ୍ରମଣକୁ ଇମ୍ରାନ ସରକାରଙ୍କ ବଡ ସଫଳତା କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

ସତ ମାନିଲା ପାକିସ୍ତାନ, 'ପୁଲୱାମା ଆକ୍ରମଣ ଥିଲା ଇମ୍ରାନ ସରକାରଙ୍କ ବଡ ସଫଳତା'
ସତ ମାନିଲା ପାକିସ୍ତାନ, 'ପୁଲୱାମା ଆକ୍ରମଣ ଥିଲା ଇମ୍ରାନ ସରକାରଙ୍କ ବଡ ସଫଳତା'

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପଦାକୁ ଆସିଲା ପାକିସ୍ତାନର ସତ । ଆଉ ଏହି ସତ ଅନ୍ୟ କେହି ନୁହେଁ ବରଂ ଖୋଦ ପାକିସ୍ତାନୀ ମନ୍ତ୍ରୀ ନିଜ ମୁହଁରେ ମାନିଛନ୍ତି । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଇମ୍ରାନ ସରକାରଙ୍କ ହାତ ଥିବା କହିଛନ୍ତି ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ । ଖାଲି ସେତିକି ନୁହେଁ, ପୁଲଓ୍ବାମା ଆକ୍ରମଣକୁ ଇମ୍ରାନ ସରକାରଙ୍କ ବଡ ସଫଳତା କହିଲେ ମନ୍ତ୍ରୀ ।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ ପୂର୍ବରୁ ଭାରତ ଅନେକ ଥର ପ୍ରମାଣ ଦେଇଛି । ହେଲେ ବର୍ତ୍ତମାନ ପାକିସ୍ତାନ ମନ୍ତ୍ରୀ ନିଜ ମୁହଁରେ ଏହି ସତକୁ ମାନି ଇମ୍ରାନ ଖାନ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଦେଇଛନ୍ତି ।

ପାକିସ୍ତାନ ସଂସଦରେ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି, ପୁଲୱାମା ଆକ୍ରମଣ ଇମ୍ରାନ ସରକାରଙ୍କ ବଡ ସଫଳତା ଥିଲା । ଏହାପୂର୍ବରୁ ପାକିସ୍ତାନ ସଂସଦରେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ବିଷୟ ଉଠିବା ପରେ ଏହାକୁ ନେଇ ଜୋର ଧରିଛି ସେଠାକାର ରାଜନୀତି । ଭୟଭୀତ ହୋଇ ଅଭିନନ୍ଦନଙ୍କୁ ଛାଡିବାକୁ ପଡିଥିଲା ବୋଲି କହିଥିଲେ ପାକିସ୍ତାନୀ ସାଂସଦ ।

ପାକିସ୍ତାନର ବରିଷ୍ଠ ବିରୋଧି ନେତା ଅୟାଜ ସାଦକିଙ୍କ କହିବା ଅନୁଯାୟୀ ଏକ ବୈଠକରେ ବୈଦେଶିକମନ୍ତ୍ରୀ ଶାହ ମହମୁଦ କୁରେଶୀ କହିଥିଲେ, ଯଦି ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀମୁକ୍ତ ନକରାଯାଇଥାନ୍ତି, ତାହେଲେ ଭାରତ ସେହି ରାତିରେ ହିଁ ପାକିସ୍ତାନ ଉପରେ ଆକ୍ରମଣ କରିଦେଇଥାନ୍ତା ।

ପାକିସ୍ତାନର ମୁସଲିମ ଲିଗ ନେତା ସାଦକିଙ୍କ ବୟାନ ଅନୁଯାୟୀ କୁରେଶୀ ଏହା ମଧ୍ୟ କହିଥିଲେ ଯେ ଯେତେବେଳେ ପାକିସ୍ତାନ ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ଶରୀରରୁ ଝାଳ ବାହାରୁ ଥିଲା ଓ ଗୋଡ ହାତ ଥରୁଥିଲା ।

ଏହାକୁ ନେଇ ଭାରତର ପୂର୍ବତନ ବାୟୁସେନା ମୁଖ୍ୟ ବିଏସ ଧନୱାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ସେତେବେଳେ ଭାରତୀୟ ସେନା ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲା । ଆମେ ଏପରି ସ୍ଥିତିରେ ଥିଲୁ ଯେ ଯଦି ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡି ନ ଥାନ୍ତା, ତେବେ ଆମେ ସେମାନଙ୍କ ସମଗ୍ର ବ୍ରିଗେଡକୁ ସମାପ୍ତ କରିଥାନ୍ତୁ ବୋଲି ଧନୱା ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ତେବେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ପୂର୍ବରୁ ଭାରତ ପାଖରେ ପ୍ରମାଣ ରହିଥିବା ବେଳେ ଏହି ଘଟଣାରେ ଇମ୍ରାନ ସରକାରଙ୍କ ହାତ ନଥିବା କହିଆସୁଥିଲା ପାକିସ୍ତାନ । ଏପରିକି ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ 13500 ପୃଷ୍ଠାର ଚାର୍ଜସିଟ ଦାଖଲ କରିସାରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଚାର୍ଜସିଟରେ ଏନଆଇଏ 19 ଜଣଙ୍କ ଅଭିଯୁକ୍ତ ଦର୍ଶାଇଥିଲା । ଏମାନଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦଙ୍କ ନେତା ମୌଲାନା ମାସୁଦ ଅଜହର ନାଁ ମଧ୍ୟ ସାମିଲ ରହିଛି।

14 ଫେବୃଆରୀ 2019ରେ ଜାମ୍ମୁ କାଶ୍ମୀରର ପୁଲୱାମାରେ CRPF ଗାଡି ଉପରେ ଆକ୍ରମଣ କରାଯାଇଥିଲା। ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ଏକ କାର ସିଆରପିଏଫ ଗାଡିକୁ ଧକ୍କ ଦେଇଥିଲା । ଏହି ବିସ୍ଫୋରଣରେ ଭାରତୀୟ ସେନାର 40 ଯବାନ ଶହୀଦ ହୋଇଥିଲେ ।

ABOUT THE AUTHOR

...view details