ଇସଲାମାବାଦ: ଶେଷରେ ଅନ୍ତର୍ଜାତୀୟ ଚାପ ଆଗରେ ନୁଆଁଇଛି ପାକିସ୍ତାନ । ପଡୋଶୀ ଭାରତ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନାହିଁ । ଫଳରେ ଆତଙ୍କୀ ମାସୁଦ ଅଜହର ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଖବର ରହିଛି।
ରିପୋର୍ଟ ଅନୁସାରେ ମାସୁଦ ଅଜହର ଏବଂ ଜୈସ-ଇ-ମହମ୍ମଦ ସଙ୍ଗଠନ ଉପରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବାର ସୂଚନା ରହିଛି । ଅନ୍ତର୍ଜାତୀୟ ଚାପ ଯୋଗୁଁ ପାକିସ୍ତାନ ଏହା କରିବାକୁ ବାଧ୍ୟ ହୋଇଛି । ଭାରତ ସହ ଏହାର ସମ୍ପର୍କ ଧିରେ ଧିରେ ଉତ୍ତେଜନାମୂଳକ ପରିସ୍ଥିତି ଆଡକୁ ଗତି କରୁଥିବାବେଳେ ଏହି ସମ୍ପର୍କ ଖରାପ କରିବାକୁ ପାକ୍ ଚାହୁଁନାହିଁ । ଫଳରେ ସୂଚନାନୁସାରେ ପାକିସ୍ତାନ ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିପାରେ । ଏଥିପାଇଁ ପୂର୍ବରୁ ପାକିସ୍ତାନ ଆପତ୍ତି କରୁଥିବାବେଳେ ଏବେ ସେଥିରୁ ହଟିଯାଇପାରେ ବୋଲି ସୂଚନା ରହିଛି ।
ମାସୁଦଙ୍କୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରି କଟକଣା ଲଗାଇବାକୁ ଭାରତ ଅନେକ ଥର ଜାତିସଙ୍ଘରେ ପ୍ରସ୍ତାବ ଆଣିଛି । ୧୦ ବର୍ଷ ମଧ୍ୟରେ ମାସୁଦ ବିରୋଧରେ ଏହି ପ୍ରସ୍ତାବ ଭାରତ ୪ ଥର ଆଣିଛି । କିନ୍ତୁ ପାକିସ୍ତାନର ବିରୋଧ ଓ ଚୀନର ଭିଟୋ କ୍ଷମତା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ତେବେ ପୁଲୱାମା ଆକ୍ରମଣପରେ ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ସାରା ବିଶ୍ବ ଏହି ପ୍ରସ୍ତାବ ପୁଣିଥରେ ଉଠାଇଛନ୍ତି।
ଗତ ସପ୍ତାହରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ମାସୁଦ ଏବଂ ଜୈସ-ଇ-ମହମ୍ମଦ ସଙ୍ଗଠନକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ପ୍ରସ୍ତାବ ଆଣିଥିଲେ । ଆଉ ସବୁଥର ନିଜର ଭିଟୋ କ୍ଷମତା ପ୍ରଯୋଗ କରି ଏହାକୁ ବିରୋଧ କରୁଥିବା ଚୀନ ଏଥର କିନ୍ତୁ ନୀରବ ରହିଛି । ତେଣୁ ପାକିସ୍ତାନ ଜୈସ ଇ ମହମ୍ମଦ ଆତଙ୍କୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ ମାସୁଦ ଆଝାର ଭାରତ ପକ୍ଷରୁ ପ୍ରକାଶିତ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ରହିଛି । ୨୦୦୧ ସଂସଦ ଉପରେ ଆକ୍ରମଣ ଠାରୁ ଆରମ୍ଭ କରି ଚଳିତ ବର୍ଷ ଫେବୃଆରୀରେ ହୋଇଥିବା ପୁଲୱାମା ହମଲା ପର୍ଯ୍ୟନ୍ତ ସମସ୍ତ ମାମଲାରେ ସେ ମାଷ୍ଟରମାଇଣ୍ଡ ଥିବା ଭାରତ ଅଭିଯୋଗ କରିଛି।
ଏହାସହ ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ବିଭିନ୍ନ ସମୟରେ ଦାବି କରିଆସିଛି। ପୁଲୱାମା ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ଅଜହରର ସୁରକ୍ଷାକୁ କଡାକଡି କରିଥିଲା ପାକିସ୍ତାନ। ତାହାର ସୁରକ୍ଷା ପାଇଁ ୧୦ ଜଣ ପାକିସ୍ତାନ ସ୍ପେସାଲ ସର୍ଭିସ ଗ୍ରୁପ କମାଣ୍ଡୋ ଯୋଗାଇ ଦିଆଯାଇଥିଲା ।