ପ୍ୟୋଙ୍ଗୟାଙ୍ଗ: ଆମେରିକା ବିପଦ ସୃଷ୍ଟି କରୁଥିବାରୁ ତା ବିରୁଦ୍ଧରେ ଶକ୍ତିଶାଳୀ ବାହିନୀ ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ଉତ୍ତର କୋରିଆ ପ୍ରକାଶ କରିଛି । ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ରି ସୋନ-ଗ୍ବନ ଏହା ପ୍ରକାଶ କରିଛନ୍ତି । ଦୁଇ ଦେଶ ମଧ୍ୟରେ ବସିଥିବା ପ୍ରଥମ ସମିଟର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ସେ ଏହା ପ୍ରକାଶ କରିଛନ୍ତି । ତେବେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ଓ ହ୍ବାଇଟ ହାଉସ ତରଫରୁ କୌଣସି ଜବାବ ଦିଆଯାଇନାହିଁ ।
ରି ସୋନ-ଗ୍ବନ କହିଛନ୍ତି, ‘ଡିପିଆରକେର ଲକ୍ଷ୍ୟ ହେଉଛି ଆମେରିକାର ଦୀର୍ଘକାଳୀନ ସାମରିକ ଧମକର ମୁକାବିଲା କରିବା ପାଇଁ ଅଧିକ ଶକ୍ତିଶାଳୀ ବାହିନୀ ଗଠନ କରିବା । ଜୁନ 12ରେ ଦୁଇ ଦେଶ ମଧ୍ୟରେ ବସିଥିବା ପ୍ରଥମ ସମିଟର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଆମେରିକାକୁ ଆମର ଏହି ବାର୍ତ୍ତା ଦେଉଛୁ । କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ସହ ଏକ ସାକ୍ଷାତକାରରେ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ଏହା କହିଛନ୍ତି ।
ସେ ପୁଣି କହିଛନ୍ତି ଯେ, ‘ଡିପିଆରକେ-ୟୁଏସ ସମ୍ପର୍କରେ ଉଲ୍ଲେଖନୀୟ ଉନ୍ନତି ପାଇଁ ଦୁଇ ବର୍ଷ ପୂର୍ବେ ବିଶ୍ବସ୍ତରରେ ଆଶା ରହିଥିଲା । କିନ୍ତୁ ତାହା ବର୍ତ୍ତମାନ ନିରାଶାରେ ପରିଣତ ହୋଇଛି । ଆମେ ବିନା ଲାଭରେ ଆଉ କୌଣସି ପ୍ରକାରେ ଆମେରିକାକୁ ସେ ସୁଯୋଗ ଦେବୁ ନାହିଁ । ’