ଇସଲାମାବାଦ: ଉନ୍ନତ ଶିକ୍ଷା ଏବଂ ଉନ୍ନତ ଶୈକ୍ଷିକ ପରିବେଶ ଦାବି କରି ପାକିସ୍ତାନର ବାମପନ୍ଥୀ ଛାତ୍ର ସଂଗଠନ ଆସନ୍ତା 29 ତାରିଖରେ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଏହା ସହିତ ବିଦ୍ୟାର୍ଥୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ମାତ୍ରାଧିକ ଫିସ ବୃଦ୍ଧି, ସ୍କୁଲ କଲେଜ ପରିସରରେ ଛାତ୍ରଙ୍କ ଗିରଫଦାରୀ ଆଦିକୁ ବିରୋଧ କରିଛି ।
ଏହି ଆନ୍ଦୋଳନ ସମ୍ପର୍କରେ ବିକନହାଉସ ବିଶ୍ବବିଦ୍ୟାଳୟର ସାମ୍ବାଦିକ ବିଭାଗର ଛାତ୍ର ହାଇଦର କଲିମ କହିଛନ୍ତି, ଆମେମାନଙ୍କୁ ରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରାଯାଇଛି । କାରଣ କୌଣସି ଶିକ୍ଷାନୁଷ୍ଠାନରେ ଦାଖଲ ହେବା ପୂର୍ବରୁ ଏକ ଶପଥ ପତ୍ର ପୁରଣ ପାଇଁ ଦାବି କରାଯାଉଛି । ଏହି ଶପଥ ପତ୍ର ମାଧ୍ୟମରେ ରାଜନୀତିରେ ଅଂଶ ଗ୍ରହଣ ନ କରିବାକୁ ଛାତ୍ର ମାନଙ୍କୁ ଜୋରଜବରଦସ୍ତ ବାଧ୍ୟ କରାଯାଉଥିବା ବେଳେ କୌଣସି ପ୍ରକାର ଆନ୍ଦୋଳନ ମଧ୍ୟ ନ କରିବାକୁ ଅନୁଷ୍ଠାନ ପକ୍ଷରୁ ବାଧ୍ୟ କରାଯାଉଛି ।
କଲିମ ହେଉଥନ୍ତି ପ୍ରୋଗ୍ରେସିଭ ଷ୍ଟୁଡେଣ୍ଟସ ଫେଡେରେସନର ମୁଖ୍ୟ । ଏହି ସଂଗଠନ ସହିତ ପ୍ରୋଗ୍ରେସିଭ ଷ୍ଟୁଡେଣ୍ଟ କଲେକ୍ଟିଭ(ପିଏସସି) ମଧ୍ୟ ମିଳିତ ଭାବେ ସାମିଲ ହୋଇ ଏହି ଆନ୍ଦୋଳନ ଡାକରା ଦେଇଥିବା ଜଣାପଡ଼ିଛି । ସେପଟେ ପିଏସସି କହିଛି ଯେ, ପିଲାମାନଙ୍କୁ ମୁକ୍ତ ଏବଂ ସ୍ବାଧୀନ ପରିବେଶ ମିଳିବା ଆବଶ୍ୟକ । ଏହି ଦୁଇଟି ସଂଗଠନ ଶପଥପତ୍ରକୁ ବିରୋଧ କରି ଲାହୋର ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ବିଦ୍ୟାର୍ଥୀମାନେ ଏହା ମଧ୍ୟ ଦାବି କରିଛନ୍ତି କି, ବିଭିନ୍ନ ଶିକ୍ଷାନୁଷ୍ଠାନରେ ସୁରକ୍ଷାକର୍ମୀଙ୍କ ଅତ୍ୟଧିକ ହସ୍ତକ୍ଷେପକୁ ବନ୍ଦ କରାଯାଉ । ଦ୍ବିତୀୟତଃ ସେମାନଙ୍କୁ ପରିସରରୁ ହଟାଯାଉ ବୋଲି ସେମାନେ ଦାବି କରିଛନ୍ତି ।
ସେପଟେ ସିନ୍ଧ ବିଶ୍ବବିଦ୍ୟାଳୟର 17 ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିବା ମାମଲାରେ କଲିମ କହିଛନ୍ତି କି, ଆପଣମାନେ ଜାଣନ୍ତି କି ସିନ୍ଧି ବିଶ୍ବବିଦ୍ୟାଳୟରେ କଣ ଘଟିଛି । ଛାତ୍ରଛାତ୍ରୀ ପିଇବା ପାଣି ପାଇଁ ଦାବି କରୁଥିବା ବେଳେ ସେମାନଙ୍କ ବିରୋଧରେ ରାଜଦ୍ରୋହର ମାମଲା ରୁଜୁ କରାଯାଇଛି । ସେହିଭଳି ଛାତ୍ରୀ ସିଦରା ଇକବାଲ କହିଛନ୍ତି ବେଲୁଚିସ୍ତାନ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ମାତ୍ରାଧିକ ଭାବେ ସେନାଙ୍କୁ ନିୟୋଜିତ କରାଯାଇଛି । ବିଶ୍ବବିଦ୍ୟାଳୟ ଗୁଡ଼ିକ ପରିସରରେ ସେନା ଛାଉଣି କରାଯାଇଛି ବୋଲି ସେ କହିଥିଲେ ।