କ୍ବାଲାଲାମ୍ପୁର: ନିକଟରେ ମାଲେସିଆରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଦେଶରେ ନିୟନ୍ତ୍ରଣାଧିନ ହୋଇଛି କୋରୋନା ସ୍ଥିତି । ଏନେଇ ଅନ୍ୟ ଲକଡାଉନ କଟକଣାକୁ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୁହୟିଦ୍ଦିନ ୟାସିନ । ଏହି ନିଷ୍ପତ୍ତି ଆଧାରରେ ଖୁବ ଶୀଘ୍ର ଦେଶରେ ସ୍କୁଲ କଲେଜ ଖୋଲିବା ସହ ଅନ୍ୟ ସାମାଜିକ ପ୍ରତିଷ୍ଠାନ ଓ ଦୋକାନ ବଜାର ଖୋଲାଯିବା ନେଇ ଘୋଷଣା ହୋଇଛି । ରବିବାର ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇ ମୁହୟିଦ୍ଦିନ କହିଛନ୍ତି କି ଜୁନ 10ରୁ ଦେଶରେ କଟକଣା କୋହଳ କରାଯିବ ।
ମାଲେସିଆରେ କୋରୋନା ସଂକ୍ରମଣ ରୋକିବା ସହ ଏହାରୁ ନିୟନ୍ତ୍ରଣ କରିବା ପାଇଁ ମାର୍ଚ୍ଚ 18ରୁ ଲକଡାଉନ ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ମେ’ 4ରୁ କଟକଣାରେ ସାମାନ୍ୟ ପରିବର୍ତ୍ତନ ସହ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ ହୋଇଛି । ଯାହା ଜୁନ 9ରେ ଶେଷ ହେବାକୁ ଯାଉଛି । ଇତି ମଧ୍ୟରେ କଟକଣାର କଡା ଅନୁପାଳନ ପାଇଁ ଦେଶରେ କୋରୋନା ସ୍ଥିତିରେ ସୁଧାର ଆସିଥିବା ପରିଲକ୍ଷିତ ହୋଇଛି । ଲୋକେ ଏହିପରି ସଜାଗ ରହିଲେ ଖୁବଶୀଘ୍ର ଦେଶରେ କୋରୋନା ସଂକ୍ରମଣ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ମୁହୟିଦ୍ଦିନ ଆଶା କରିଛନ୍ତି ।