ସିଓଲ: ଉତ୍ତର କୋରିଆବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଗଭର ହୋଇଛନ୍ତି ଦେଶର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ । ଏନେଇ ଗତ ମାର୍ଚ୍ଚରେ ସେ ପ୍ୟୋଙ୍ଗ୍ୟାଙ୍ଗ ସାଧାରଣ ଡାକ୍ତରଖାନାର ଶିଳାନ୍ୟାସ କରିଥିଲେ । ବର୍ତ୍ତମାନ କୋରୋନା ପରିସ୍ଥିତିର ମୁକାବିଲା ପାଇଁ ଏହି ଡାକ୍ତରଖାନା ସକ୍ଷମ ହେବ ବୋଲି କିମ ଦାବି କରିଥିଲେ । ଏହି ପ୍ରକଳ୍ପ ଆସନ୍ତା ଅକ୍ଟୋବର 10 ମଧ୍ୟରେ ଶେଷ ହେବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଅକ୍ଟୋବର 10ରେ ଶାସକ ଦଳର 75 ତମ ବର୍ଷ ପୂର୍ତ୍ତି ଅବସରରେ ଏହି ଡାକ୍ତରଖାନା ଉଦଘାଟନ ହେବାର ଯୋଜନା ରହିଛି ।
ହେଲେ ଏହି ଡାକ୍ତରଖାନା ନିର୍ମାଣ ଦାୟିତ୍ବ ନେଇଥିବା ନିର୍ମାଣକାରୀ ସଂସ୍ଥା ସଠିକ୍ ଭାବେ କାର୍ଯ୍ୟ କରୁନଥିବା ଶୁଣିବା ପରେ ସମ୍ପୃକ୍ତ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ କିମ । ଏନେଇ ପ୍ୟୋଙ୍ଗ୍ୟାଙ୍ଗର କୋରିଆନ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି (କେସିଏନଏ) ସୂଚନା ଦେଇଛି । କିମ ଏହି ସ୍ଥାନ ପରିଭ୍ରମଣ କରିଥିଲେ ତାହା ଜଣା ପଡି ନାହିଁ । କିନ୍ତୁ ନିର୍ମାଣ କାର୍ଯ୍ୟ ନେଇ କିମ୍ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି । ଯୋଜନା ମୁତାବକ ନିର୍ମାଣ କାର୍ଯ୍ୟ ଚାଲି ନଥିବା ବେଳେ ଏଥିରେ ନିର୍ମାଣକାରୀ ସଂସ୍ଥାର ବେପରୁଆ ମନୋଭାବ ଦାୟୀ ବୋଲି କିମ ଆରୋପ ଲଗାଇଛନ୍ତି ।