ପ୍ୟୋଙ୍ଗ୍ୟାଙ୍ଗ: ବର୍ଷ ଆରମ୍ଭରୁ ହିଁ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି । କେବେ ତାଙ୍କର ମୃତ୍ୟୁ ନେଇ ଗୁଜବ ଉଡୁଛି ତ କେତେବେଳେ ପୁଣି ଖବର ଆସୁଛି କି ସେ କୋମାରେ ରହିଛନ୍ତି । ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । କିମ ନିଜ ଭଉଣୀ କିମ ୟୋ ଜଙ୍ଗଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପରେ ଏପରି ଖବର ଶୁଣିବାକୁ ମିଳୁଛି । ଏନେଇ ପୂର୍ବତନ ସର୍ବୋଚ୍ଚ ନେତା କିମ ଡେ ଜଙ୍ଗଙ୍କ ରାଜନୈତିକ ପରାମର୍ଶଦାତା ଚାଙ୍ଗ ସଙ୍ଗ-ମିନ ସୂଚନା ଦେଇଛନ୍ତି ।
ଏନେଇ ସେ କୋରିଆନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି କିମଙ୍କର ଚଳିତବର୍ଷ ଆରମ୍ଭରୁ ହିଁ ସ୍ବାସ୍ଥ୍ୟଗତ ଅସୁବିଧା ରହୁଥିବା ବେଳେ ବର୍ତ୍ତମାନ ସେ କୋମାରେ ରହିଛନ୍ତି । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସେ ଏବେ ବି ଜୀବିତ । ଏବେ ବି ତାଙ୍କୁ ନିୟମିତ ଚିକିତ୍ସା ପ୍ରଦାନ କରାଯାଉଛି । କିନ୍ତୁ ଆଗକୁ କ’ଣ ହେବ ସେନେଇ କିଛି ସ୍ପଷ୍ଟ କହି ହେଉ ନାହିଁ ।