ଇସଲାମାବାଦ: ଗତ ଶୁକ୍ରବାର କରାଚିରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଗଠିତ ତଦନ୍ତକାରୀ ଦଳ ଉପରେ ପ୍ରଶ୍ନ । ପାକିସ୍ତାନ ସରକାର ଦ୍ବାରା ଗଠିତ ଯାଞ୍ଚ ଦଳରେ ବାୟୁସେନାର କଡା ହସ୍ତକ୍ଷେପ ଏବଂ କମର୍ସିଆଲ ପାଇଲଟ୍ ଟିମର ଜଣେ ବି ସଦସ୍ୟ ଏହି ଯାଞ୍ଚ ଟିମରେ ଅନୁପସ୍ଥିତି ଉପରେ ବିଶେଷଜ୍ଞ ମାନେ ପ୍ରଶ୍ନ ଉଠାଇଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଏୟାରଲାଇନ୍ସ ପାଇଲଟ୍ସ ଆସୋସିଏସନର ସଚିବ କ୍ୟାପଟେନ ଇମ୍ରାନ ନରେଜୋ କହିଛନ୍ତି ଯେ କମର୍ସିଆଲ ପାଇଲଟଙ୍କ ପ୍ରତିନିଧିତ୍ବ ନ ଥିବାରୁ ତଦନ୍ତ ଟିମରେ ସନ୍ତୁଳନ ନାହିଁ । ସେ କହିଛନ୍ତି ଯେ କମର୍ସିଆଲ ଜେଟ ସହିତ ଦୁର୍ଘଟଣାକୁ କମର୍ସିଆଲ ପାଇଲଟ ଅଧିକ ଭଲ ଭାବରେ ବୁଝିପାରିବେ ।
କେନ୍ଦ୍ର ସରକାର ଏକ ଚାରି ଜଣିଆ ତଦନ୍ତକାରୀ ଦଳ ଗଠନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଚାରିଜଣ ବିମାନ ଦୁର୍ଘଟଣା ଅନୁସନ୍ଧାନ ବୋର୍ଡର ସଦସ୍ୟ, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣ ବାୟୁସେନା ଅଧିକାରୀ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟଙ୍କୁ ପାକିସ୍ତାନ ବାୟୁସେନାର ସୁରକ୍ଷା ବୋର୍ଡରୁ ନିଆଯାଇଛି । ସେଠାରେ କୌଣସି କମର୍ସିଆଲ ପାଇଲଟ ନାହାଁନ୍ତି । ଅନୁସନ୍ଧାନକାରୀ ଦଳକୁ 'ଖୁବ୍ କମ୍ ସମୟ ମଧ୍ୟରେ' ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।