ଟୋକିଓ: ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଜାପାନର ସବୁଠାରୁ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ନେତା ହୋଇଛନ୍ତି । ଦ୍ୱିତୀୟ ଥର ପାଇଁ ନେତୃତ୍ତ୍ୱକୁ ଫେରିବା ପରେ ଆବେ କ୍ରମାଗତ 2,799 ଦିନ ଅଫିସରେ କାର୍ଯ୍ୟ କରିଛନ୍ତି । ତେବେ କୁହାଯାଉଛି ଯେ ସେ ତାଙ୍କ ମାମୁଁ ଇସାକୁ ସାଟୋଙ୍କ 2,798 ଦିନ କାର୍ଯ୍ୟ କରିଥିବା ବେଳେ ତାଙ୍କ ରେକର୍ଡ ଭାଙ୍ଗି ଆବେ ଏକ ନୂଆ ରେକର୍ଡ କରିଛନ୍ତି ।
ଆସନ୍ତା ମାସରେ ଆବେ 66 ବର୍ଷରେ ପଦାର୍ପଣ କରିବେ । ସେ ଗତ ନଭେମ୍ବରରେ ଜାପାନର ଦୀର୍ଘତମ ସେବା କରୁଥିବା ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ନିକଟରେ କୋରୋନା କାଳରେ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ହସପିଟାଲରେ ଚେକ୍ଅପ୍ କରିଥିଲେ । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କର ପ୍ରଥମ କାର୍ଯ୍ୟକାଳ 13 ବର୍ଷ ପୂର୍ବେ ହଠାତ୍ ସମାପ୍ତ ହୋଇଥିଲା । ଏବେ ପୁଣି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତା ବଢିଥିବା କୁହାଯାଉଛି ।
ପରେ ଆବେ ଗଣମାଧ୍ୟମକୁ କହିଛନ୍ତି ଯେ ଗତ ସପ୍ତାହର ଚେକଅପ୍ ଠାରୁ ବିସ୍ତୃତ ଫଳାଫଳ ପାଇବାକୁ ଏବଂ ଅତିରିକ୍ତ ପରୀକ୍ଷା କରିବାକୁ ସେ ଡାକ୍ତରଖାନାକୁ ପୁନଃ ଚିକିତ୍ସା ପାଇଁ ଯାଇଥିଲେ । ମୁଁ ନିଶ୍ଚିତ କରୁଛି ଯେ ମୋର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ମୁଁ କଠିନ ପରିଶ୍ରମ ଜାରି ରଖିବାକୁ ଯୋଜନା କରୁଛି ବୋଲି ଆବେ କହିଛନ୍ତି ।
ତେବେ ଗତ ସୋମବାର ସେ ଟୋକିଓର କିଓ ୟୁନିଭରସିଟି ହସପିଟାଲରେ ସାତ ଘଣ୍ଟାରୁ ଅଧିକ ସମୟ ଅତିବାହିତ କରିଥିଲେ । ଏନେଇ ଅଧିକାରୀମାନେ କହିଛନ୍ତି ଯେ ଜୁନ୍ ମାସରେ ତାଙ୍କର ପୂର୍ବ ଗସ୍ତ ସମୟରେ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନଥିବା ହେତୁ ତାଙ୍କର ଅତିରିକ୍ତ ଯାଞ୍ଚ ହେଉଛି ।
ଗତ ସପ୍ତାହରେ ସେ ଯେତେବେଳେ ହସ୍ପିଟାଲ ଯାଇଥିଲେ ତେବେ ତାଙ୍କ ସ୍ୱାସ୍ଥ୍ୟ ଅବନତି ହେବାର ସମ୍ଭାବନାକୁ ନେଇ ଜାପାନ ଗଣମାଧ୍ୟମରେ ବେସ ଚର୍ଚ୍ଚା ହୋଇଥିଲା । ଅର୍ଥମନ୍ତ୍ରୀ ତାରୋ ଆସୋଙ୍କ ସମେତ ଆବେଙ୍କ କ୍ୟାବିନେଟ ତଥା ଶାସକ ଦଳର ବରିଷ୍ଠ ଅଧିକାରୀମାନେ ସର୍ବସାଧାରଣରେ କହିଛନ୍ତି ଯେ ଆବେ ଅତ୍ୟଧିକ ପରିଶ୍ରମୀ ଏବଂ ତାଙ୍କୁ ଏବେ ବିଶ୍ରାମ ଦରକାର ।
ଗତ ଏକ ସପ୍ତାହ ମଧ୍ୟରେ, ସେ ନିଜ ଅଫିସରେ ଦିନକୁ ମାତ୍ର କିଛି ଘଣ୍ଟା ବିତାଇଥିଲେ । କେବଳ ଅପରାହ୍ନରେ ସେ ଅଫିସରେ ରହୁଥିଲେ ବୋଲି କୁହାଯାଉଛି । ସୋମବାର ପୂର୍ବରୁ ଏକ ନିୟମିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ କ୍ୟାବିନେଟ ସଚିବ ୟୋଶିହିଡେ ସୁଗା ଆବେଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ଦୂର କରିଛନ୍ତି। ମୁଁ ତାଙ୍କୁ ପ୍ରତିଦିନ ଦେଖେ, କିନ୍ତୁ ମୁଁ କିଛି ଅଲଗା ଲକ୍ଷ୍ୟ କରି ନାହିଁ ବୋଲି ସେ କହିଛନ୍ତି। ସେପ୍ଟେମ୍ବର 2021 ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେବେ ଆବେ ଆଉ ଏକ ବର୍ଷ ସେବା କରିବାକୁ ସକ୍ଷମ ହେବେ କି ବୋଲି ପଚରାଯିବାରୁ ସୁଗା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହା କରିବାକୁ ସମର୍ଥ ହେବେ ସେଥିପାଇଁ ସେ ରେଗୁଲାର ଚେକଅପ କରୁଛନ୍ତି ।
ଅଫିସରେ ଆଉ କେତେଦିନ ସେ କାର୍ଯ୍ୟ କରିବାକୁ ସମର୍ଥ ହେବେ ସେନେଇ ତାଙ୍କର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କଳ୍ପନା ଜଳ୍ପନା କରୁଛନ୍ତି । କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ଯୋଗୁଁ ତାଙ୍କର ଅର୍ଥନୀତି ସର୍ବନିମ୍ନ ସ୍ତରକୁ ଖସି ଆସିଛି । ଆବେ ଜାପାନର ପ୍ରତିରକ୍ଷା କ୍ଷମତାକୁ ମଧ୍ୟ ସ୍ଥିର କରି ଦେଇଛନ୍ତି ଏବଂ ଜାପାନର ଆତ୍ମରକ୍ଷା ବାହିନୀକୁ ନିଜର ସହଯୋଗୀ ଆମେରିକା ପାଇଁ ଶାନ୍ତିପୂର୍ଣ୍ଣ ସମ୍ବିଧାନର ବ୍ୟାଖ୍ୟା ବିସ୍ତାର କରିବାକୁ ଅନୁମତି ଦେଇଛନ୍ତି ।
ଯେତେବେଳେ ସେ 2012 ରେ ଅଫିସକୁ ଫେରିଥିଲେ, ଆବେ ତାଙ୍କ ଆବେନୋମିକ୍ସ ଫର୍ମୁଲା ସହିତ ଦେଶକୁ ପୁନଃ ଜୀବିତ କରିବା ଏବଂ ଏହାର ଅର୍ଥବ୍ୟବସ୍ଥାକୁ ମୁକ୍ତ କରିବା ପାଇଁ ଶପଥ ନେଇଥିଲେ । ସେପଟେ ବିରୋଧୀମାନେ ଆବେଙ୍କକୁ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ସମୟ ଗଣତନ୍ତ୍ର, ସ୍ୱାଧୀନତା ଏବଂ ଗଣତନ୍ତ୍ରର ଲାଭ ଅପେକ୍ଷା ଅଧିକ କ୍ଷତି ଘଟାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ