ହାଇଦ୍ରାବାଦ: ଆଫଗାନିସ୍ତାନରେ ରହୁଥିବା ଭାରତୀୟ ନାଗରିକ ସାବଧାନ । କେଉଁ ମୂହୁର୍ତ୍ତରେ ବି ହୋଇପାରନ୍ତି ଅପହରଣ । ଏଠାରେ କାମ କରୁଥିବା ପ୍ରତି ଭାରତୀୟ ଓ ବିଦେଶୀ ସଂସ୍ଥାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ ଛାଡିବାକୁ ଚେତାବନୀ ଦେଇଛି ଭାରତ । ସମସ୍ତ ଭାରତୀୟଙ୍କୁ କାବୁଲରେ ଥିବା ଦୂତାବାସରେ ପଞ୍ଜୀକରଣ କରିବାକୁ ମଧ୍ୟ ଚେତାଇ ଦିଆଯାଇଛି । ସେପଟେ ଏ ପର୍ଯ୍ୟନ୍ତ ବାଣିଜ୍ୟିକ ବିମାନ ଚଳାଚଳ ଜାରି ରହିଥିବାରୁ କୌଣସି ଥଇଥାନ କରୁନାହିଁ ଭାରତ ।
କାବୁଲ ପରେ ଦେଶର ଦ୍ୱିତୀୟ ଓ ତୃତୀୟ ବୃହତ୍ତମ ସହର କାନ୍ଦାହାର ଏବଂ ହେରାତକୁ ଗୁରୁବାର ଦିନ କବଜା କରି ଆଫଗାନିସ୍ତାନ ସରକାରଙ୍କୁ ଆହୁରି ଦୋହଲାଇ ଦେଇଛି ତାଲିବାନ । ସେହିପରି ଦେଶର 34 ଟି ପ୍ରାଦେଶିକ ରାଜଧାନୀ ମଧ୍ୟରୁ 12 ଟିକୁ କବଜା କରିସାରିଲେଣି ତାଲିବାନ ଆତଙ୍କବାଦୀ ।
ଫଳରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଆଫଗାନିସ୍ତାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ଆଧାର କରି ଗତ ଜୁନ 29, ଜୁଲାଇ 24 ଏବଂ ଅଗଷ୍ଟ 10ରେ ତିନୋଟି ଗାଇଡଲାଇନ ଜାରି କରିଥିଲା । ଭାରତୀୟ ଫଟୋ ସାମ୍ବାଦିକଙ୍କୁ ତାଲିବାନ ଆତଙ୍କବାଦୀ ନିର୍ମମ ହତ୍ୟା କରିବା ପରେ ସମସ୍ତ ଭାରତୀୟଙ୍କୁ ସୁରକ୍ଷା ଆଡଭାଇଜରୀ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲା କାବୁଲରେ ଥିବା ଭାରତୀୟ ଦୂତାବାସ ।
ବିଶେଷ କରି ଗ୍ରାଉଣ୍ଡ ରିପୋର୍ଟିଂ ପାଇଁ ଆଫଗାନିସ୍ତାନ ଆସୁଥିବା ଭାରତୀୟ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ। ଆଫଗାନିସ୍ତାନରେ ପହଞ୍ଚିବା ପୂର୍ବରୁ ସାକ୍ଷାତକାର ତଥା ଅନ୍ୟାନ୍ୟ କଭରେଜ ସହିତ ଏଠାରେ ରହିବା ତଥା ଗତିବିଧି ପାଇଁ ଭାରତୀୟ ଗଣମାଧ୍ୟମର ସଦସ୍ୟମାନେ ଅତିରିକ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ଏହାପୂର୍ବରୁ ତାଲିବାନ ଆଫଗାନିସ୍ତାନର ପ୍ରାୟ 65% ଅଞ୍ଚଳ ନିଜ ଅଧୀନକୁ ନେଇ 10 ଟି ପ୍ରାଦେଶିକ ରାଜଧାନୀ କବଜା କରିଛି । ଏଥିରେ କାବୁଲ ଠାରୁ 150 କିଲୋମିଟର ଦୂରରେ ଥିବା ଅନ୍ୟତମ ସହର ଘାନି ରହିଛି । ଯାହା ପରେ ଆଫଗାନିସ୍ତାନ ସରକାର ଆତଙ୍କବାଦୀଙ୍କୁ କ୍ଷମତା ବାଣ୍ଟିବାକୁ ପ୍ରସ୍ତାବ ଦେଇଛି । ସେପଟେ କାବୁଲ ଦୂତାବାସରୁ ନିଜ କର୍ମଚାରୀଙ୍କୁ ଫେରାଇ ନେବାକୁ 3000 ସୈନ୍ୟ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା । ବ୍ରିଟେନ ମଧ୍ୟ ନିଜ ନାଗରିକଙ୍କୁ ସୁରକ୍ଷିତ ଥଇଥାନ କରିବା ପାଇଁ 600 ସୈନ୍ୟ ନିୟୋଜିତ କରିଛି।