କାଠମାଣ୍ଡୁ: ସୀମା ବିବାଦ ଭିତରେ ଭାରତ-ନେପାଳ ମଧ୍ୟରେ ଏକ ଉତ୍ତମ କାର୍ଯ୍ୟ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି । କାଠମାଣ୍ଡୁର ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଏକ ସଫେଇ ବ୍ୟବସ୍ଥା ପାଇଁ ଭାରତ ସହଯୋଗ କରିବ । ଏନେଇ ସୋମବାର ଉଭୟ ଦେଶ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି ।
ଏହି ଚୁକ୍ତି ଅନୁସାରେ ଭାରତ ଏହି ବ୍ୟବସ୍ଥା ପାଇଁ 37.23 ମିଲିୟନ ନେପାଳୀ ଟଙ୍କା ଆର୍ଥିକ ସହାୟତା ଭାବେ ପ୍ରଦାନ କରିବ । ଭାରତୀୟ ଦୂତାବାସ, ଫେଡେରାଲ ବ୍ୟାପାର ଓ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ ଏବଂ କାଠମାଣ୍ଡୁ ମେଟ୍ରୋପୋଲିଟାନ୍ ସିଟି ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି । ନେପାଳ-ଭାରତ ମୈତ୍ରୀ ବିକାଶ ପାର୍ଟନରସିପ୍ ଫଣ୍ଡରୁ ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଭାରତ ସରକାରଙ୍କ ଦ୍ବାରା କମ୍ୟୁନିଟି ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।