ତେହେରାନ: ଇରାନର କିଛି ସ୍ଥାନରେ ବର୍ତ୍ତମାନ କୋରୋନା ପ୍ରକୋପ କମ ଥିବାରୁ ଏହି ସ୍ଥାନଗୁଡିକରେ କୋହଳ ହୋଇଛି ଲକଡାଉନ ନିୟମ । ଏହି ସ୍ଥାନଗୁଡିକରେ କିଛି ମାତ୍ରାରେ ଲୋକେ ଏକାଠି ହେଉଥିବା ଦେଖିବାକୁ ମିଳୁଛି । ରମଜାନର ପବିତ୍ର ମାସରେ ମାତ୍ର ତିନୋଟି ନିର୍ଦ୍ଦିଷ୍ଟ ଦିନରେ ବଜାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ଆଧାରରେ ରବିବାର ଇଦ ଅବସରରେ ଦେଖିବାକୁ ମିଳିଥିଲା ଲୋକଙ୍କ ଉତ୍ସାହ । ହେଲେ ଏହି ଉତ୍ସାହରେ ବି ଲୋକେ ନୀତି ନିୟମର ଅନୁପାଳନ କରୁଥିବା ଦେଖିବାକୁ ମିଳିଥିଲା ।
ଇଦ ଅବସରରେ ଅନେକ ଲୋକେ ଏକାଠି ହୋଇ ସର୍ବନିମ୍ନ ଦୂରତା ଅବଲମ୍ବନ କରି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ଦେଶରେ ପ୍ରାୟ ତିନି ମାସ ହେବ ସାମୂହିକ ପ୍ରାର୍ଥନା ବନ୍ଦ ଥିବା ବେଳେ ଇଦ ଅବସରରେ ପୁଣି ଆରମ୍ଭ ହୋଇଛି ଏହି ପ୍ରଥା । ତେବେ ତେହେରାନସ୍ଥିତ ବାଗ-ଏ-ଫୈଜରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଦେଶର ସମସ୍ତ ମସଜିଦରେ ସାମୂହିକ ପ୍ରାର୍ଥନାର ବ୍ୟବସ୍ଥା ହୋଇନଥିବା ବେଳେ ଗ୍ରାଣ୍ଡ ମୋସାଲା ମସଜିଦରେ ଇରାନ ସର୍ବୋଚ୍ଚ ନେତା ଅଲି ଖାମେନୈଙ୍କ ନେତୃତ୍ବରେ ହେବାକୁ ଥିବା ସଭାକୁ ମଧ୍ୟ କୋରୋନା ପାଇଁ ବାତିଲ କରାଯାଇଥିଲା ।