ଓଡିଶା

odisha

ETV Bharat / international

ବ୍ଲାକଲିଷ୍ଟ ହେବ ଅଜହର, ଆମେରିକା ଆଣିବ ନୂଆ ପ୍ରସ୍ତାବ - ମାଇକ ପମ୍ପେୟୋ

ବ୍ରିଟେନ ଓ ଫ୍ରାନ୍ସ ସହ ଅନ୍ୟ ୧୫ଟି ସଦସ୍ୟଙ୍କୁ ମାସୁଦ ଉପରେ ବ୍ୟାନ ଲଗାଇବା ପାଇଁ ଆମେରିକା କଥାବାର୍ତ୍ତା ଜାରି ରହିଛି। ଯଦି ସବୁ ସଦସ୍ୟ ଏହି ପ୍ରସ୍ତାବରେ ଏକମତ ହୁଅନ୍ତି ତେବେ ମସୁଦ ଉପରେ ବିଶ୍ବ ଆତଙ୍କବାଦୀର ମୋହର ଲାଗିବ।

ଡିଜାଇନ ଫଟୋ

By

Published : Mar 28, 2019, 3:24 PM IST

ୱାଶିଂଟନ୍‌: ଆଉ ବଞ୍ଚିପାରିବନି ଜୈସ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହର। ଚୀନ ଓ ପାକିସ୍ତାନର ସୁରକ୍ଷା ବଳୟରେ ରହିଲେ ମଧ୍ୟ ରକ୍ଷା ପାଇବନି। ଏଥର ବିଶ୍ବ ଆତଙ୍କବାଦୀ ମୋହର ବାଜିବା ନେଇ ଥୟ। ଏନେଇ ଆମେରିକା ଆଣିବାକୁ ଯାଉଛି ଏକ ନୂଆ ପ୍ରସ୍ତାବ।

ଶେଷରେ ଆତଙ୍କବାଦୀ ମସୁଦ ପ୍ରସଙ୍ଗରେ ଭାରତକୁ ଆମେରିକାର ଖୋଲାଖୋଲି ସମର୍ଥନ ମିଳିଛି। ମସୁଦ ଉପରେ ବିଶ୍ୱ ଆତଙ୍କବାଦୀର ମୋହର ଲଗାଇବା ପାଇଁ ଆମେରିକା ମିଳିତ ଜାତସଙ୍ଘର ସୁରକ୍ଷା ପରିଷଦରେ ନୂଆ ପ୍ରସ୍ତାବ ଆଣିବାକୁ ଯାଉଛି । ଏଥିପାଇଁ 15 ଜଣିଆ ସଦସ୍ୟ ରାଷ୍ଟ୍ରଙ୍କୁ ଏକ ରିଜଲ୍ୟୁସନ୍‌ ପଠାଇବାକୁ ଆମେରିକା ବିଚାର କରୁଛି।

ପୂର୍ବରୁ ୟୁଏନଏସସିରେ ମସୁଦକୁ ନେଇ ଆସିଥିବା ପ୍ରସ୍ତାବରେ ଚୀନ ଭିଟୋ ପାୱାର ବ୍ୟବହାର କରି ଅଟକାଇ ଦେଇଥିଲା। ହେଲେ ଏବେ ଚୀନକୁ ଏକୁଟିଆ କରି ଫ୍ରାନ୍ସ ଏବଂ ବ୍ରିଟେନ ସହାୟତାରେ ଆମେରିକା ଅଜହର ବିରୋଧରେ ପ୍ରସ୍ତାବ ଆଣିବାକୁ ଯାଉଛି । ଏପରିକି ଚୀନ ଉପରେ ଚାପ ପକାଇବା ପାଇଁ ଏକ କମିଟି ମଧ୍ୟ ଡକାଯାଇପାରେ । ଆମେରିକା ବୈଦେଶିକ ସଚିବ ମାଇକ୍‌ ପମ୍ପେୟୋ ବୁଧବାର ଏହି ସୂଚନା ଦେଇଛନ୍ତି।

ପମ୍ପେୟୋଙ୍କ କହିବାନୁସାର ଏହା ପୂର୍ବରୁ ମସୁଦ ବିରୋଧରେ ଆସିଥିବା ପ୍ରସ୍ତାବରେ ୯ଟି ଦେଶ ଭାରତର ସାଥ ଦେଇଥିଲେ। କିନ୍ତୁ ଚୀନର ଭିଟୋ ପାୱାର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା। ଏବେ ବ୍ରିଟେନ ଓ ଫ୍ରାନ୍ସ ସହ ଅନ୍ୟ ୧୫ଟି ସଦସ୍ୟଙ୍କୁ ଏହି ପ୍ରସଙ୍ଗରେ ସହମତି ପାଇଁ କଥାବାର୍ତ୍ତା ଜାରି ରହିଛି। ଯଦି ସବୁ ସଦସ୍ୟ ଏହି ପ୍ରସ୍ତାବରେ ଏକମତ ହୁଅନ୍ତି ତେବେ ମସୁଦ ଉପରେ ବିଶ୍ବ ଆତଙ୍କବାଦୀର ମୋହର ଲାଗିବ।

ଏହାସହ ମସୁଦର ସାରା ବିଶ୍ବରେ ଯାତ୍ରା ଉପରେ ବ୍ୟାନ ଲଗାଇ ତାର ସବୁ ସମ୍ପତ୍ତିକୁ ବ୍ୟାଜାପ୍ତି କରାଯିବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ଏବେ ଆମେରିକା ପକ୍ଷରୁ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ପ୍ରସଙ୍ଗରେ ମନାଇବା ପାଇଁ ଉଦ୍ୟମ କରାଯାଉଛି । ଜୈସ ସଙ୍ଗଠନର ସମ୍ପର୍କ ଅଲକାଏଦା ତଥା ଇସଲାମିକ ଷ୍ଟେଟ୍‌ ସହ ଥିବାର ପ୍ରମାଣ ରହିଛି। ଏପରିକି ବେଆଇନ ଭାବେ ଉକ୍ତ ସଙ୍ଗଠନରୁ ଅସ୍ତ୍ରଶସ୍ତ୍ର ଆଣିଥିବାର ସୂଚନା ରହିଛି ବୋଲି ଆମେରିକା କହିଛି।

ଏହାଛଡା ପମ୍ପେୟୋ ଚୀନକୁ କଡା ଚେତାବନୀ ଦେଇ କହିଛନ୍ତି ଯେ ଏହା ମସୁଦର ସୁରକ୍ଷାକବଚ ନହେଉ। ଚୀନର ମୁସଲମାନଙ୍କ ପ୍ରତି ଥିବା ଦୋମୁହାଁ ନୀତିକୁ ଆମେରିକା ସମାଲୋଚନା କରିଛି। ମୁସଲିମଙ୍କ ପ୍ରତି ଚୀନର ଲଜ୍ଜାଜନକ ଛଳନା ଭଳି ଆଚରଣକୁ ନିନ୍ଦା କରିଛି ଆମେରିକା। ସ୍ୱେଚ୍ଛାଚାର ଭାବେ ଅଟକ ଥିବା ବ୍ୟକ୍ତିଙ୍କୁ ଚୀନ ମୁକ୍ତ କରି ଏମାନଙ୍କ ଉପରେ ତାହାର ଦମନଲୀଳା ବନ୍ଦ କରିବାକୁ ପମ୍ପେୟୋ କହିଛନ୍ତି। ମୁସଲମାନଙ୍କ ପ୍ରତି ଚୀନର ଲଜ୍ଜାପୂର୍ଣ୍ଣ ଛଳନାକୁ ବିଶ୍ୱ ବିନା ପରିଣାମରେ ଗ୍ରହଣ କରିପାରିବ ନାହିଁ।

ଉଇଘୂର ସମ୍ପ୍ରଦାୟର ଲୋକଙ୍କୁ ଚୀନ 2017ରୁ ନିର୍ଯ୍ୟାତନା ଦେଇଆସୁଛି। ଗୋଟିଏ ପଟେ ଚୀନ ନିଜ ଦେଶରେ ଅନେକ ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଛି। କିନ୍ତୁ ଅନ୍ୟପଟେ ଜାତିସଂଘର କଟକଣାରୁ ଭୟାନକ ଆତଙ୍କବାଦୀ ସଂଗଠନକୁ ସୁରକ୍ଷା ଦେଉଛି । ଏପରି ଦୋମୁହାଁ ନୀତିକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ସେ ଚୀନକୁ ଚେତାବନୀ ଦେଇଛନ୍ତି।

ABOUT THE AUTHOR

...view details