ୱାଶିଂଟନ:ଆଫଗାନିସ୍ତାନରେ ରାଜୁତି ଆରମ୍ଭ କରିଛି ତାଲିବାନ । ଏହାସହିତ ଆଫଗାନୀ ମହିଳାଙ୍କ ପାଇଁ ମଧ୍ୟ ତାଲିବାନମାନେ ଆଇନକୁ କଠୋର କରିଛନ୍ତି । ତେବେ ଆଫଗାନି ଛାତ୍ରୀଙ୍କୁ ବିଦ୍ୟାଳୟଠାରୁ ଦୂରେଇ ରଖୁଛନ୍ତି ତାଲିବାନ । ଏ ସମ୍ପର୍କରେ ମିଳିତ ଜାତିସଂଘ ଶିଶୁ ପାଣ୍ଠି(UNICEF) ଖବର ପାଇବା ପରେ ଚିନ୍ତାପ୍ରକଟ କରିଛି ।
ଆଜି(ଶନିବାର)ଠାରୁ ଆଫଗାନିସ୍ତାନରେ ବିଦ୍ୟାଳୟ ଖୋଲିବାକୁ ୟୁନିସେଫ ସ୍ବାଗତ କରିଥିବା ବେଳେ ବର୍ତ୍ତମାନ ସମୟରେ ଛାତ୍ରୀମାନେ ପୁଣି ବିଦ୍ୟାଳୟକୁ ଯାଇନପାରିବାର ସମ୍ଭାବନା ଥିବାରୁ ଚିନ୍ତିତ ଥିବା କହିଛନ୍ତି ୟୁନିସେଫର ମୁଖ୍ୟ ହେନରିଟ୍ଟା ଫୋର ।
ଏଭଳି ମାନବିକ ସଙ୍କଟ ଲାଗି ପୂର୍ବରୁ ୪.୨ ମିଲିୟନ ବା 4୦ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇପାରିନଥିଲେ । ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଛାତ୍ରୀ ଥିଲେ । ଏପରି ଭାବରେ ଶିକ୍ଷାଠାରୁ ଛାତ୍ରୀମାନେ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି । ଯାହାଦ୍ବାରା ସେମାନେ ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କ ପରିବାର ଓ ସମ୍ପ୍ରଦାୟ ମଧ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ହେନରିଟ୍ଟା କହିଛନ୍ତି । ଆଜିଠାରୁ ଆଫଗାନିସ୍ତାନରେ କେବଳ ଛାତ୍ରଙ୍କ ପାଇଁ ବିଦ୍ୟାଳୟ ଖୋଲିଥିବା ବେଳେ ଛାତ୍ରୀଙ୍କ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ । କାବୁଲକୁ ଅଧିନରେ ନେବା ପରେ ଏପରି କରି ତାଲିବାନ ନିଜ ପ୍ରତିଶ୍ରୁତିର ବିପରୀତରେ ଯାଉଛି ।