ହାଇଦ୍ରାବାଦ: ବିଶ୍ବସନୀୟ ଏବଂ ଉତ୍ତମ ଗୁଣମାନର ଔଷଧୀୟ ସାମଗ୍ରୀ ଉପଲବ୍ଧ ହୋଇପାରିଲେ ସ୍ବାସ୍ଥ୍ୟସେବାରେ ଉନ୍ନତି ଏବଂ ଜୀବନ ରକ୍ଷା ହୁଏ । ହେଲେ, ବିଶ୍ବ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକଙ୍କ ପାଇଁ ଠିକ୍ ସମୟରେ ଉତ୍ତମ ଗୁଣମାନର ଔଷଧ ଉପଲବ୍ଧ ହୁଏ ନାହିଁ । ଆକଳନରୁ ଜଣାଯାଏ ଯେ, ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ମିଳୁଥିବା ଅନ୍ୟୂନ 10% ଔଷଧ ନିମ୍ନ ଗୁଣମାନର କିମ୍ବା ମିଥ୍ୟା ବର୍ଣ୍ଣନାଯୁକ୍ତ ଏବଂ ସମକାଳୀନ ଭାବେ ଖୁବ୍ ଅଧିକ ମୂଲ୍ୟର ହୋଇଥାଏ ।
2015 ମେ ମାସରେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ଅତ୍ୟାବଶ୍ୟକ ଔଷଧ ତାଲିକା ବା ଏସେନ୍ସିଆଲ ମେଡିସିନ୍ସ ଲିଷ୍ଟ (EML) ରୂପେ ପରିଚିତ ଏହାର ମଡେଲ ଲିଷ୍ଟ ଅଫ୍ ଏସେନ୍ସିଆଲ ମେଡିସିନ୍ସ ବା ଆଦର୍ଶ ଅତ୍ୟାବଶ୍ୟକ ଔଷଧ ତାଲିକାରେ କେତେକ ଗୁରୁତ୍ବପୂର୍ଣ୍ଣ ଔଷଧକୁ ସାମିଲ କରାଯାଇଥିଲା ।
ଏବେ, ବିଭିନ୍ନ ଦେଶ ପାଇଁ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ ସୁବିଧାକୁ ସଂପ୍ରସାରିତ କରାଇବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉପଯୋଗକାରୀଙ୍କ ଲାଗି ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି ଏବଂ ବିଭିନ୍ନ ଦେଶର ଆବଶ୍ୟକତା ଏବଂ ପ୍ରୟୋଜନୀୟତା ଭିତ୍ତିରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକା ଭିତ୍ତିରେ ଏହାକୁ ପ୍ରସ୍ତୁତ କରାଯାଇଛି । ଆଜି ନୂଆ ନୂଆ ଔଷଧର ଦର ଦ୍ରୁତ ହାରରେ ବୃଦ୍ଧି ପାଉଥିବା ବେଳେ, ବିଶ୍ବର ପାଖାପାଖି ଅଧା ଲୋକ ଅତ୍ୟାବଶ୍ୟକ ଔଷଧ ପାଇବାରେ ସକ୍ଷମ ନୁହଁନ୍ତି ।
ସ୍ବାସ୍ଥ୍ୟସେବାକୁ ସାର୍ବଜନୀନ କରାଇବା ଦିଗରେ ଅଗ୍ରଗତି କରିବାକୁ ହେଲେ, ଅତ୍ୟାବଶ୍ୟକ ଔଷଧଗୁଡ଼ିକର ସଯତ୍ନ ଚୟନର ଗୁରୁ ଭୂମିକା ରହିଛି ଏବଂ ଏହା ଫଳରେ ଲୋକମାନଙ୍କୁ ଉତ୍ତମ ଓ ଭରସାଯୋଗ୍ୟ ଗୁଣମାନର ଔଷଧକୁ ସୁଷମ ଦରରେ ଯୋଗାଇ ଦିଆଯାଇପାରିବ ।
ସମସ୍ତ ବ୍ୟକ୍ତି ଏବଂ ଗୋଷ୍ଠୀ ପାଖରେ ଅତି ଫଳପ୍ରଦ ଔଷଧ ଉପଲବ୍ଧ କରାଇବା ଦିଗରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନୂତନ ନିୟମ ପୁସ୍ତିକା ବିଭିନ୍ନ ଦେଶ ପାଇଁ ଏକ ସମ୍ବଳ ସଦୃଶ । ବିଭିନ୍ନ ଅତ୍ୟାବଶ୍ୟକ ଔଷଧର ଚୟନ ପ୍ରଣାଳୀରେ ପାରଦର୍ଶିତା ବୃଦ୍ଧି ଲାଗି ମଧ୍ୟ ଏହି ପୁସ୍ତିକାରେ ଲକ୍ଷ୍ୟ ରଖାଯାଇଛି ।
ଏହା ଲକ୍ଷ୍ୟ କରାଯାଇଛି ଯେ, ବିଭିନ୍ନ ଦେଶର ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକା ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ପ୍ରସ୍ତୁତ ଆଦର୍ଶ ତାଲିକାର ତାଳମେଳ ରହେ ନାହିଁ । କାରଣ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା କେବଳ ସୁରକ୍ଷା ଓ କାର୍ଯ୍ୟକ୍ଷମତା ପ୍ରମାଣିତ ଔଷଧକୁ ତାଲିକାଭୁକ୍ତ କରାଯାଇଥାଏ ।