ୱାଶିଂଟନ: ଆମେରିକାରେ ମିନିଆପୋଲିସ ପୋଲିସ ହେପାଜତରେ ଆଫ୍ରିକାନ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ମୁଣ୍ଡ ଟେକିଥିଲା ଡାତିଆଣ ବିରୋଧୀ ଆନ୍ଦୋଳନ । ଏହି ଆନ୍ଦୋଳନର ମାତ୍ରା ଏତେ ତୀବ୍ରତର ଥିଲା କି ମାସ ମାସ ଧରି ପ୍ରାୟ ପ୍ରତ୍ୟେକ ଦିନ ସାଧାରଣ ଜନତା ରାସ୍ତାକୁ ଓହ୍ଲାଉଥିବା ବେଳେ ସାରା ବିଶ୍ବ ଏଥିରେ ପ୍ରଭାବିତ ହୋଇଥିଲା । ଏମିତିରେ ଦେଶରେ କୋରୋନା ସଂକ୍ରମଣରେ ବୃଦ୍ଧି ପାଇଁ ଏହି ଆନ୍ଦୋଳନ ଦାୟୀ ବୋଲି ଟ୍ରମ୍ପ ଆକ୍ଷେପ କରିଛନ୍ତି ।
ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗ ଦେଇଥିବା ବେଳେ ତାଙ୍କୁ କୋରୋନା ସଂକ୍ରମଣରେ ଦେଶର ସ୍ଥିତି ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ଦେଇ ଏଥିପାଇଁ ବିଭିନ୍ନ ଦିଗକୁ ଦୋଷ ଛାଟିବା ଆରମ୍ଭ କରିଥିଲେ । ଆଉ ଏଥର ତାଙ୍କର ଟାର୍ଗେଟ ସାଜିଥିଲା ଦେଶରେ ମୁଣ୍ଡ ଟେକିଥିବା ଜାତିଆଣ ବିରୋଧୀ ଆନ୍ଦୋଳନ । ତାଙ୍କ କହିବା ମୁତାବକ ଦେଶରେ ଆନ୍ଦୋଳନ ଆରମ୍ଭ ହେବା ପରେ ଅଧିକ ମାତ୍ରାରେ ଯୁବପୀଢି କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆନ୍ଦୋନରେ ସାମାଜିକ ଦୂରତା ନିୟମ ଭଙ୍ଗ ହୋଇଥିବାରୁ ଏପରି ଘଟିଥିବା ସେ ପ୍ରକାଶ କରିଛନ୍ତି ।
କେବଳ ସେତିକି ନୁହେଁ ବର୍ତ୍ତମାନର ଯୁବପୀଢି ନିୟମ ନମାନି ବାହାରେ ସାର୍ବଜନୀନ ସ୍ଥାନ ଯଥା ବାର୍, ପବ୍ ଓ ବିଚ୍ରେ ଏକାଠି ହେଉଥିବାରୁ ମଧ୍ୟ ସଂକ୍ରମଣ ବଢୁଥିବା ସେ ଆକ୍ଷେପ କରିଥିଲେ । ହେଲେ ସେ ଏକଥାର ଉତ୍ତର ନଦେଇ ପ୍ରଶ୍ନଟିକୁ ଚତୁରତାର ସହ ଏଡାଇ ଦେଇଥିଲେ । ପ୍ରଶ୍ନଟି ଥିଲା ଆନ୍ଦୋଳନ ପରେ ନ୍ୟୁୟର୍କରେ ସଂକ୍ରମଣର ମାତ୍ରା ଓ ମୃତ୍ୟୁ ହାରରେ ହ୍ରାସ ପଛର କାରଣ । ଓଲଟା ସେ ଏହା କହିଥିଲେ କି ଆନ୍ଦୋଳନ ଯୋଗୁଁ ଦେଶର 30ଟି ରାଜ୍ୟରେ ସଂକ୍ରମଣ ମାତ୍ରା ପୂର୍ବାପେକ୍ଷା ଢେର ବୃଦ୍ଧି ପାଇଛି ।