ୱାଶିଂଟନ: ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନଙ୍କୁ ନେଇ ଗତ କିଛି ଦିନ ହେଲା ସାରା ବିଶ୍ବରେ ଚର୍ଚ୍ଚା ଜାରି ରହିଛି । ଅନ୍ତର୍ଜାତୀୟ ମିଡିଆରେ ସସପେନ୍ସ ପାଲଟିଛି କିମଙ୍କ ଖବର । ଏହା ଭିତରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କିମ କିପରି ଅଛନ୍ତି ତାହା ସେ ଜାଣିଛନ୍ତି, କିନ୍ତୁ ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି । ଏ ବିଷୟରେ କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।
ଟ୍ରମ୍ପ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ହ୍ବାଇଟ ହାଉସରେ କହିଛନ୍ତି ଯେ, ମୁଁ ଭଲ ଭାବେ ଜାଣିଛି, କିନ୍ତୁ ବର୍ତ୍ତମାନ ସମୟରେ ମୁଁ ଏହା ବିଷୟରେ କହିପାରିବି ନାହିଁ । ମୁଁ ତାଙ୍କ ଆରୋଗ୍ୟ କାମନା କରୁଛି । କିମଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଥିଲେ, 'ମୁଁ ଆଶା କରୁଛି ସେ ଭଲରେ ଅଛନ୍ତି । ମୁଁ ଜାଣେ ସେ କିପରି ଅଛନ୍ତି । ଆପଣ ବୋଧହୁଏ ଖୁବ ଶୀଘ୍ର ଏ ସମ୍ପର୍କରେ ଜାଣିବେ । କିନ୍ତୁ ପରେ ଟ୍ରମ୍ପ କହିଛନ୍ତି ଯେ ସେ କେଉଁଠାରେ ଅଛନ୍ତି ତାହା କେହି ଜାଣନ୍ତି ନାହିଁ।