ସିନସିନାଟି: ଶୂନଶାନ ରାତିରେ ଥରି ଉଠିଛି ସିନସିନାଟିର ଗଳି କନ୍ଦି । ରବିବାର ସହରର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଥିବା ଜଣା ପଡିଛି । ଘଟଣାରେ 18 ଜଣ ଆହତ ହୋଇଥିବା ବେଳେ 4 ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଏନେଇ ପୋଲିସର କହିବା ଅନୁଯାୟୀ ରାତି ପ୍ରାୟ 12.30 ସମୟରେ ଖବର ପାଇ ନିକଟସ୍ଥ ଆଭୋଣ୍ଡେଲରେ ପହଞ୍ଚିଥିଲା ପୋଲିସ । ସେଠାରେ 21 ବର୍ଷୀୟ ଆଣ୍ଡୋନିଓ ବ୍ଲେରଙ୍କୁ ପ୍ରଥମେ ଆହତ ଦେଖି ପୋଲିସ ତାଙ୍କୁ ୟୁନିଭର୍ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବକ ଜଣଙ୍କ ଆଖି ବୁଜିଥିଲେ ।
ଏଥିରୁ ଗୁଳିକାଣ୍ଡ ବିଷୟରେ ଜାଣି ପୋଲିସ ବ୍ୟାପକ ସର୍ଚ୍ଚ ଅପରେସନ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସେପଟେ ରାତି ପ୍ରାୟ 2ଟା 15 ମିନିଟ ସମୟରେ ଓଭର-ଦି-ରାଇନରେ ମଧ୍ୟ ଗୁଳିକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ସେଠାରେ ଗୁଳିକାଣ୍ଡରୁ ପ୍ରାୟ 10 ଜଣ ଆହତ ହୋଇଥିବା ଦେଖାଯାଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସିନସିନାଟି ୟୁନିଭର୍ସିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ପରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ଥିଲେ 34 ବର୍ଷୀୟ ରବର୍ଟ ରୋଗର୍ସ ଓ 30 ବର୍ଷୀୟ ଜ୍ୟାକିଜ ଗ୍ରାଣ୍ଟ ।
ଏନେଇ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସହରର ବିଭିନ୍ନ ସ୍ଥାନରେ ପ୍ରାୟ ଏକ ଘଣ୍ଟାରୁ ଦେଢ ଘଣ୍ଟା ଧରି ଏହି ନାରକୀୟ କାଣ୍ଡ ହୋଇଥିଲା । କିନ୍ତୁ ଉଭୟ ସ୍ଥାନରେ ହୋଇଥିବା ଗୁଳିକାଣ୍ଡ ମଧ୍ୟରେ କୌଣସି ସମ୍ପର୍କ ନଥିବା ପୋଲିସ ପକ୍ଷରୁ ଜଣା ପଡିଛି । ଏନେଇ ସିନସିନାଟି ପୋଲିସ ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ ପ୍ରକାଶ କରିଛି । ଏପରି ଘଟଣା ବିରୋଧରେ ବର୍ତ୍ତମାନ ସାଧାରଣ ଜନତାଙ୍କ ସ୍ବର ଉତ୍ତୋଳନ କରିବାର ଆବଶ୍ୟକତା ରହିଥିବା ପୋଲିସ ଆହ୍ବାନ ଦେଇଛି ।