ମିଲୱୋଉକି: କେନୋସା, ୱିସ୍କୋଲସିନ ପୋଲିସର ବର୍ବର କାଣ୍ଡର ଚର୍ଚ୍ଚା ଏବେ ଜୋର ଧରିଛି । ପୋଲିସ ସମସ୍ତ ବର୍ବରତା ପାର କରି ଜନୈକ ଆଫ୍ରିକାନ-ଆମେରିକୀୟ ଜ୍ୟାକବ ବ୍ଲେକଙ୍କ ଉପରେ ଆଖି ବୁଜା 7 ରାଉଣ୍ଡ ଗୁଳି ମାରିଥିଲେ । ଏଥିରୁ 4ଟି ଗୁଳି ଜ୍ୟାକବଙ୍କ ପିଠିରେ ବାଜିଥିବାବେଳେ ଆକ୍ରମଣ ଦିନଠାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଅଗଷ୍ଟ 23ର ଏହି ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନି । ନା ଲିଭିଛି ଡାକ୍ତରଖାନା ବେଡରେ ଜ୍ୟାକବଙ୍କ ପ୍ରତିଦିନର ଯନ୍ତ୍ରଣା ବେଦନା । ଏମିତିରେ ରବିବାର ପ୍ରଥମ ଥର ମୁହଁ ଖୋଲି ନିଜ ଶାରିରୀକ ଯନ୍ତ୍ରଣାର କୋହ ପ୍ରକାଶ କରିଛନ୍ତି ଜ୍ୟାକବ ।
ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ସେ ମରଣ ସହ ସଂଘର୍ଷ କରୁଛନ୍ତି । ପ୍ରତି ମୁହୂର୍ତ୍ତରେ ମରଣ ଅତି ନିକଟତର ବୋଲି ଅନୁଭବ କରୁଛନ୍ତି । ବେଳେ ବେଳେ ଯନ୍ତ୍ରଣା ଅସହ୍ୟ ହୋଇ ପଡୁଥିବାବେଳେ କେବଳ ପରିବାରର ମୁହଁ ଦେଖି ସେ ସବୁ ପୀଡା ସହି ଯାଉଥିବା କହିଛନ୍ତି । ଆଖି ବନ୍ଦ କଲେ ଏବେ ବି ସେହି କାଳ ରାତିର ଘଟଣା ଆଖି ସାମ୍ନାରେ ନାଚୁଛି । ଏମିତିରେ ଏହି ଦୁଃଖଦ ଘଟଣାରୁ ବାହାରିବାବେଳେ ଅସମ୍ଭବ ମନେ ହେଉଛି ।