ୱାଶିଂଟନ: କାବୁଲ କବଜା କରିବା ପରେ ବନ୍ଧୁକ ମୁନରେ ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିବା ଲକ୍ଷ୍ୟରେ ରହିଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନର ଔଦ୍ଧତ୍ୟ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ ଉପୁଜିଥିବା ସୁରକ୍ଷା ସ୍ଥିତିକୁ ନେଇ ଜରୁରୀକାଳୀନ ବୈଠକ କରିଛି ଜାତିସଂଘ(UNSC) ।
ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କୁ ଏକଜୁଟ ହେବାକୁ ଅପିଲ କରିଛନ୍ତି ୟୁଏନ ମହାସଚିବ ଆଣ୍ଟୋନିୟୋ ଗୁଟେରେସ । ସେ କହିଛନ୍ତି, ଆଫଗାନିସ୍ତାନକୁ ପୁନର୍ବାର କୌଣସି ଆତଙ୍କୀ ସଙ୍ଗଠନ ପାଇଁ ସୁରକ୍ଷିତ ଆଡ୍ଡା ଭାବରେ ବ୍ୟବହାର ଯେପରି ନହୁଏ, ଏନେଇ ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କୁ ଏକଜୁଟ ହୋଇ ଏହା ସୁନିଶ୍ଚିତ କରିବାକୁ ପଡିବ ।
ଆଫଗାନିସ୍ତାନରେ ବୈଶ୍ବୟିକ ଆତଙ୍କବାଦୀ ବିପଦ ବିରୁଦ୍ଧରେ ଜାତିସଂଘ ସୁରକ୍ଷା ପରିଷଦ ଓ ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କୁ ଏକଜୁଟ ହୋଇ କାମ କରିବାକୁ ଅନୁରୋଧ କରିଛନ୍ତି ଗୁଟେରେସ । ସେ କହିଛନ୍ତି ଆଫଗାନିସ୍ତାନରୁ ମାନବାଧିକାର ଉପରେ ପ୍ରତିବନ୍ଧକ ନେଇ ଆଶ୍ଚର୍ଯ୍ୟ କରିବା ଭଳି ରିପୋର୍ଟ ସାମ୍ନାକୁ ଆସୁଛି । ବିଶେଷ କରି ଆଫଗାନିସ୍ତାନରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ମାନବାଧିକାର ଉଲ୍ଲଂଘନ ଖବର ଚିନ୍ତାର ବିଷୟ ବୋଲି ଆଣ୍ଟୋନିୟୋ କହିଛନ୍ତି ।
ସେପଟେ ସଞ୍ଜମତା ରକ୍ଷା କରିବାକୁ ତାଲିବାନକୁ ଅନୁରୋଧ କରିଛି ଜାତିସଂଘ । ସଂଘର୍ଷ କାରଣରୁ ହଜାର ହଜାର ଲୋକ ନିଜ ଘର ଛାଡି ପଳାୟନ କରିବାକୁ ବାଧ୍ୟ ହୋଇପଡିଛନ୍ତି । ତେବେ ଶରଣାର୍ଥୀଙ୍କୁ ସ୍ବୀକାର କରିବାକୁ ସମସ୍ତ ଦେଶଗୁଡିକୁ ଅନୁରୋଧ କରିଛି ଜାତିସଂଘ ।