ଓ୍ବାଶିଂଟନ: ଥମିବାର ନାଁ ନେଉନି ଋଷ-ୟୁକ୍ରେନ ଯୁଦ୍ଧ । ଆଜି ୨୬ ଦିନରେ ପହଞ୍ଚିଛି ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଘମାସାନ ଯୁଦ୍ଧ । ଏହାରି ମଧ୍ୟରେ ୟୁକ୍ରେନ ସଙ୍କଟ ନେଇ ଆସନ୍ତା ୨୫ରେ ପୋଲାଣ୍ଡ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅନ୍ତର୍ଜାତୀୟ ସ୍ତରରେ ୟୁକ୍ରେନକୁ ସାହାଯ୍ୟ ସହଯୋଗ ଓ ଋଷିଆ ଉପରେ ଅପ୍ରତ୍ୟାଶିତ ଖର୍ଚ୍ଚ ଲଗାଇବା ପାଇଁ ପୋଲାଣ୍ଡ ଗସ୍ତରେ ଯାଇ ଆଲୋଚନା କରିବେ ବାଇଡେନ । ଏନେଇ ହ୍ବାଇଟ ହାଉସ ମୁଖପାତ୍ର ଜେନ ପାସାକି ଏକ ବିବୃତ୍ତି ଜାରି କରି ସୂଚନା ପ୍ରଦାନ କରିଛନ୍ତି ।
ପୋଲାଣ୍ଡ ଗସ୍ତ ପୂର୍ବରୁ ଏପ୍ରିଲ ୨୩ରେ ବାଇଡେନ ବ୍ରୁସେଲ୍ସ ଓ ବେଲଜିୟମ ଗସ୍ତ କରିବେ । ଏହାପରେ ମାର୍ଚ୍ଚ ୨୪ରେ ନାଟୋ, ଜି-୭ ଓ ୟୁରୋପୀୟ ରାଷ୍ଟ୍ର ସଂଘ ସହ ଆଲୋଚନା କରିବେ । ଏପ୍ରିଲ ୨୫ରେ ପୋଲାଣ୍ଡ ଗସ୍ତ କରି ସେଠାରେ ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ରାଷ୍ଟ୍ରପତି ଜୋ ବାଡେନ । ୟୁକ୍ରେନରେ ରୁଷିଆର ଆକ୍ରମଣ ଓ ମାନବୀୟ ସଙ୍କଟ ନେଇ ୨ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହେବ ।