ୱାଶିଂଟନ: ବାରମ୍ବାର କୃଷ୍ଣକାୟଙ୍କ ଉପରେ ପୋଲିସର ଜୁଲମ ନେଇ ଚର୍ଚ୍ଚାରେ ଆମେରିକା । କେବେ ଜର୍ଜ ଫ୍ଲଏଡ, କେବେ ଡାନିଏଲ ପ୍ରୁଡ ତ କେତେବେଳେ ପୁଣି ଜ୍ୟାକୋବ ବ୍ଲେକ । ଏସମସ୍ତ ଘଟଣାରେ ସାମ୍ନାକୁ ଆସିଛି ଆଫ୍ରିକାନ-ଆମେରିକୀୟଙ୍କ ଉପରେ ପୋଲିସର ଜୁଲମ । ଜର୍ଜ ଫ୍ଲେଡଙ୍କୁ ନେଇ ବେଶ କିଛି ଦିନ ବିଶ୍ବବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ ଦୁଇ ଦିନ ତଳେ ମୁଣ୍ଡ ଟେକିଥିଲା ଡାନିଏଲ ପ୍ରୁଡଙ୍କ ଘଟଣା । ଆଉ ଏହାର କିଛି ଦିନ ତଳେ ତେଜିଥିଲା ଜ୍ୟାକବ ବ୍ଲେକଙ୍କ ଘଟଣା । ବିକ୍ଷୋଭ ପ୍ରବଣ ସହର କେନୋସାରେ ବ୍ଲେକଙ୍କୁ ପୋଲିସ ପଛପଟୁ 7 ଥର ଗୁଳି କରିଥିବା ବେଳେ ସେଥରୁ 4ଟି ଗୁଳି ବ୍ଲେକଙ୍କ ଦେହରେ ବାଜିଥିଲା ।
ବ୍ଲେକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ରହିଥିବା ବେଳେ ତାଙ୍କୁ ଭେଟିବା ପାଇଁ ଗୁରୁବାର ପହଞ୍ଚିଥିଲେ ଡେମୋକ୍ରାଟିକ ପାର୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଓ ତାଙ୍କ ପତ୍ନୀ ଜିଲ । ଏହାର ଦୁଇ ଦିନ ତଳେ ଟ୍ରମ୍ପ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ବ୍ଲେକଙ୍କୁ ଭେଟିଥିଲେ । ଯାହାକୁ ନେଇ ତାଙ୍କୁ ଖୁବ ଟ୍ରୋଲର ଶିକାର ମଧ୍ୟ ହେବାକୁ ପଡିଥିଲା । ତେବେ ବିଡେନ ଓ ତାଙ୍କ ପତ୍ନୀ ଖୁବ ବ୍ୟକ୍ତିଗତ ଭାବେ ବ୍ଲେକ ଓ ତାଙ୍କ ପରିବାରକୁ ଭେଟିଥିବା ଜଣା ପଡିଛି । ଏଥିସହ ବ୍ଲେକ ଓ ତାଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ସେମାନେ 15 ମିନିଟ ପାଇଁ ଭେଟିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।