ଭୁବନେଶ୍ବର:ରାଜ୍ୟର କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ହୋଇଥିଲା ବୈଠକ । ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ । ରାଜ୍ୟରେ ଖୁବ୍ଶୀଘ୍ର ଆଉ ୩୬୮ଟି ICU ବେଡ୍ର ବ୍ୟବସ୍ଥା କରାଯିବ । ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ ।
ରାଜ୍ୟରେ କୋଭିଡ୍ ସ୍ଥିତି ବାବଦରେ ଆଜି ସଂଧ୍ୟାରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବଦଳୀୟ ବୈଠକରେ ଘୋଷଣା ହୋଇଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଆରୋପ କରିଛନ୍ତି ନବୀନ ।
କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି । ରାଜ୍ୟରେ ସଂକ୍ରମଣ ହାର ମଧ୍ୟ କମିଛି । ଏସବୁ ପାଇଁ ଲକ୍ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଛନ୍ତି ।
ସଂକ୍ରମଣ ହାରକୁ ସଂପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି । ଲୋକଙ୍କ ସହଯୋଗ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୋଭିଡ ଯୋଗୁଁ ଅନେକ ପରିବାର ଛାରଖାର ହୋଇଯାଇଛି । ତେଣୁ କୋଭିଡ ମୃତକଙ୍କ ବିଧବା ପତ୍ନୀ ଏବଂ ବାପା-ମା’ଙ୍କୁ ହରାଇଥିବା ପିଲାମାନେ ଯେପରି ତୁରନ୍ତ ସହାୟତା ପାଇପାରିବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସଂକ୍ରମଣ ରୋକିବାକୁ ମଇ ୨୪ ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ । ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ହସ୍ପିଟାଲରେ ଚିକିତ୍ସିତ ସଂକ୍ରମିତଙ୍କ ସଂପର୍କୀୟ ମାନେ ରୋଗୀଙ୍କ ଅବସ୍ଥା ବାବଦରେ ଯେପରି ସଠିକ ସୂଚନା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ନିୟୋଜିତ କର୍ମଚାରୀମାନଙ୍କୁ ମାନବିକ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଟିକାକରଣ କୋଭିଡ ନିୟନ୍ତ୍ରଣ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଟିକାକରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନେ ଯେପରି ସୁବିଧାରେ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ, ସେଥିପାଇଁ ସେମାନଙ୍କୁ ଟିକାକରଣ କେନ୍ଦ୍ରର ସ୍ଥାନ ଓ ସମୟ ସଂପର୍କରେ ପୂର୍ବରୁ ସୂଚନା ଦେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଗରିବ ଲୋକମାନେ ଯେପରି ସୁବିଧାରେ ମାସ୍କ ପାଇପାରିବେ, ସେଥିପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଧାୟକମାନେ ଖର୍ଚ୍ଚ କରିପାରିବେ । ମିଶନ ଶକ୍ତି ଗ୍ରୁପରୁ ମାସ୍କ ସଂଗ୍ରହ କରିବାକୁ ପଦଷେପ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଲକ୍ଡାଉନର ସୁଫଳକୁ ଅନୁଭବ କରି ଆଉ ଦୁଇ ସପ୍ତାହ ପାଇଁ ଏହାର ଅବଧିକୁ ବଢାଯାଇଛି । ଏହାକୁ କଡାକଡି ଭାବରେ କାର୍ଯ୍ୟକାରୀ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମଇ ୨୪ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ କରାଯିବ । ଏଥିପାଇଁ ସଂପୃକ୍ତ ବିଭାଗକୁ ଗାଇଡଲାଇନ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ମାନେ ହେଲ୍ପ ଡେସ୍କ ଗୁଡିକୁ ଉତ୍ତମ ରୂପେ ତଦାରଖ କରୁଛନ୍ତି । ଅକ୍ସିଜେନ Logistic ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି ।
ସାରା ଦେଶରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିବାରେ ଲାଗିଛି । ଭାରତରେ ମେ’ ୮ ରେ ସର୍ବାଧିକ ୪,୧୪,୧୮୮ ହୋଇଥିଲା । ଆଜି ଏହା ୨,୬୩,୦୨୧ ଅଛି । ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି । ଓଡିଶାରେ ସଂକ୍ରମଣ ମ’ ୧୩ ରେ ସର୍ବାଧିକ ହୋଇଥିଲା । ତା' ପରଠାରୁ ଏହା କମିବାରେ ଲାଗିଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଛନ୍ତି । ଆମର ସଂକ୍ରମଣ ହାର ଗତ ସପ୍ତାହରେ ୨୧ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି । ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇବା ସତ୍ତ୍ବେ, ସଂକ୍ରମିତ କମିବା ଏକ ଭଲ ସୂଚନା ବୋଲି ସେ କହିଛନ୍ତି । ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଆମର ମୃତ୍ୟୁହାର ୦.୪୦ରୁ କମି ୦.୩୭ ହୋଇଛି । ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଅଛି । ଯାହାକି ସାରା ଭାରତରେ ସର୍ବନିମ୍ନ ବୋଲି ସେ କହିଛନ୍ତି । ରାଜ୍ୟରେ ICU ବେଡ୍ର ସଂଖ୍ୟା ବୃଦ୍ଧି କରାଯାଇଛି । ଖୁବ୍ଶୀଘ୍ର ଆଉ ୩୬୮ଟି ICU ବେଡ୍ର ବ୍ୟବସ୍ଥା କରାଯିବ । ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।
ରାଜ୍ୟରେ ଲକ୍ଡାଉନ ଓ ବିଭିନ୍ନ କୋଭିଡ଼ ଗାଇଡଲାଇନର ଅନୁପାଳନ ପାଇଁ ପୋଲିସ ଅନେକ ପଦକ୍ଷେପ ନେଇଛି । ଓଡିଶାରୁ ଅନ୍ୟ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୮୬୮ଟି ଟ୍ୟାଙ୍କର ଜରିଆରେ ୧୫୯୧୨ ମେଟ୍ରିକ ଟନ୍ ଅକ୍ସିଜେନ ପଠାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ଅଗ୍ନି ସୂରକ୍ଷା ପାଇଁ ୬୨ଟି କୋଭିଡ ହସ୍ପିଟାଲରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ ସୂଚନା ଦେଇଛନ୍ତି ।
ବୈଠକରେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ଅବଜରଭର ନିକୁଞ୍ଜ ବିହାରି ଧଳ, କଳାହାଣ୍ଡି-ନୂଆପଡାର ଅବଜରଭର ସତ୍ୟବ୍ରତ ସାହୁ, ଅନୁଗୁଳ-ଢେଙ୍କାନାଳର ଅବଜର୍ଭର ବିଷ୍ଣୁପଦ ସେଠୀ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଂଜର ଜିଲ୍ଲାପାଳ, କଟକ ଓ ଭୁବନେଶ୍ବର ମ୍ୟୁନିସପାଲ କମିଶନର ମାନେ ସେମାନଙ୍କ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ବୈଠକର ପରିଚାଳନା କରିବା ସହ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ପୋଲିସ ଡ଼ିଜି, ଜିଲ୍ଲାପାଳ ଓ ଏସପି ମାନେ ଥିଲେ ଏହି ବୈଠକରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ