ଥିରୁଅନନ୍ତପୁରମ:ବହୁ ଚର୍ଚ୍ଚିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ଆଜି ରିଲିଜ ହୋଇଛି। ଫିଲ୍ମର ଟ୍ରେଲର ଆସିବା ଦିନ ଠାରୁ ଫିଲ୍ମ ବିବାଦକୁ ଆସିଥିଲା । ଏପରିକି ଫିଲ୍ମ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ଅଭିଯୋଗ କରି ଫିଲ୍ମ ରିଲିଜକୁ ନେଇ ଅନେକ ସଙ୍ଗଠନ ବିରୋଧ କରିବା ସହ ସୁପ୍ରିମକୋର୍ଟ ଯାଇଥିଲେ। ହେଲେ ସୁପ୍ରିମକୋର୍ଟ ଫିଲ୍ମ ରିଲିଜକୁ ଅନୁମତି ଦେଇଥିଲେ। ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ରିଲିଜ ହୋଇଛି । କେରଳର 20ଟି ହଲରେ ଫିଲ୍ମ ରିଲିଜ ହୋଇଛି।
ବିଭିନ୍ନ ସ୍ଥାନରେ ଫିଲ୍ମ ରିଲିଜକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିରୋଧକୁ ଦୃଷ୍ଟିରେ ରଖି ଅଧିକାଂଶ ସିନେମାହଲରେ ଶେଷ ମୁହୂର୍ତ୍ତରେ ଶୋ'କୁ ସ୍ଥଗିତ ରଖାଯାଇଥିଲା । ବିରୋଧକୁ ବିଚାରକୁ ନେଇ ସମସ୍ତ ସିନେମା ହଲ ସମ୍ମୁଖରେ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡର ଯାଞ୍ଚ ପରେ ଏହି ଶୋ ପୁଣି ଆରମ୍ଭ ହୋଇଥିଲା । ଫିଲ୍ମ ରିଲିଜ୍ ବିରୋଧରେ କୋଝିକୋଡରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏପରିକି ସିନେମା ହଲ ବାହାରେ ଯୁବକ ଯୁବତୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ।
ସେହିପରି କୋଚି ସହରର କେବଳ ଗୋଟିଏ ହଲରେ ଫିଲ୍ମ ରିଲିଜ ହୋଇଥିବା ବେଳେ ଦୁଇଟି ସିନେମା ହଲରେ ଫିଲ୍ମ ରିଲିଜକୁ ବାତିଲ କରାଯାଇଛି। କୋଚିର ଲୁଲୁ ମଲ୍ ଏବଂ ସେଣ୍ଟର୍ ସ୍କୋୟାର୍ ମଲ୍ ରେ ଥିବା ସିନେପୋଲିସ୍ ସ୍କ୍ରିନିଂକୁ ବାତିଲ କରିଦେଇଛି । କୋଚିର କେବଳ ଗୋଟିଏ ଥିଏଟର 'ଶେନୋଇସ୍' ରେ ଫିଲ୍ମ ରିଲିଜ ହୋଇଛି। ସକାଳ 10ଟା ସମୟରେ ଫିଲ୍ମ ପ୍ରଦର୍ଶିତ ହୋଇଛି। ତେବେ ଏହି 2 ସିନେମାହଲରେ ଫିଲ୍ମ ରିଲିଜକୁ କାହିଁକି ଫିଲ୍ମ ରିଲିଜକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାହାର ଏପର୍ଯ୍ୟନ୍ତ କୌଣସି କାରଣ ଦର୍ଶାଇ ନାହାଁନ୍ତି ଉଭୟ ମଲ।
ସୂଚନା ଥାଉ କି, ପୂର୍ବରୁ, କେରଳର 50ଟି ସିନେମାହଲରେ ଫିଲ୍ମ ରିଲିଜ କରିବା ପାଇଁ ଡିଷ୍ଟ୍ରିବ୍ୟୁଟରଙ୍କ ସହ ଏକ ଚୁକ୍ତି କରିଥିଲା । କିନ୍ତୁ ରିଲିଜ୍ ପୂର୍ବରୁ ଅନେକ ଏହାକୁ ସମର୍ଥନ ମଧ୍ୟ କରିଥିଲେ । ହେଲେ ଏବେ ଫିଲ୍ମଟି କେବଳ 20ଟି ପରଦାରେ ରିଲିଜ କରିଛି। ତେବେ ଏହି ଫିଲ୍ମଟି ଭିପୁଲ ଅମୃତଲାଲ ଶାହାଙ୍କ ଦ୍ବାରା ନିର୍ମିତ ଏବଂ ସୁଦୀପ୍ତୋ ସେନ୍ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଦାନୀ ଏବଂ ସୋନିଆ ବାଲାନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଧର୍ମାନ୍ତରୀକରଣ ଉପରେ ଆଧାରିତ । ଏହି ଫିଲ୍ମରେ କେରଳର 32,000 ନିଖୋଜ ଝିଅଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି । ଯେଉଁମାନଙ୍କ ଚିନ୍ତାଧାରା ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା । ପରେ ତାଙ୍କୁ ଆଇଏସଆଇଏସ ସହ ଯୋଡି ଆତଙ୍କବାଦୀ କରାଯାଇଥିଲା । ଫିଲ୍ମର ଟ୍ରେଲର ରିଲିଜ ହେବା ପର ଠାରୁ ବିବାଦ ଘେରକୁ ଆସିଥିଲା ଫିଲ୍ମ ।