କୋଲକାତା:ପ୍ରିସଦ୍ଧ ବଲିଉଡ ଗାୟକ କେକେ ଓରଫ କିଷ୍ଣକୁମାର କୁନ୍ନଥ ମୃତ୍ୟୁକୁ ନେଇ ବଢୁଛି ବିବାଦ । ତାଙ୍କ ମୃତ୍ୟୁ ଅସ୍ବାଭାବିକ ବୋଲି ଗ୍ରହଣ କରିବା ଶ୍ରୋତାଙ୍କ ପାଇଁ ସହଜ ହୋଇନାହିଁ । ଏହି ମାମଲା ବର୍ତ୍ତମାନ କୋର୍ଟରେ ପହଞ୍ଚିଲାଣି । ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି । ଏ ସଂକ୍ରାନ୍ତରେ ଆଗତ ଜନସ୍ବାର୍ଥ ମାମଲାକୁ କୋଲକାତା ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରଛନ୍ତି ।
ଆଇନଜୀବୀ ରବିଶଙ୍କର ଚଟ୍ଟୋପାଧ୍ୟାୟ ଏହି ପିଟିସନ ଫାଇଲ କରିବା ସହ କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି । ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଓ ବିଚାରପତି ରାଜର୍ଶି ଭରଦ୍ବାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ବିଚାର କରିବାକୁ ରାଜି ହୋଇଛନ୍ତି । ପିଟିସନରେ ଦର୍ଶାଯାଇଛି ଯେ କୋଲକାତାର ନଜରୁଲ ମଞ୍ଚରେ ଘଟିଥିବା ସେହି ଅଘଟଣ ଦିନ ପରିଚାଳନାଗତ ଅବ୍ୟବସ୍ଥା ଓ ସ୍ଥାନୀୟ ପ୍ରଶାସନର ଅବହେଳା ଦେଖିବାକୁ ମିଳିଛି । ତେଣୁ ଏହାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ କାରଣ ବାହାରକୁ ଆସିବ ।